କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୯ ଦଫା ସମ୍ବଳିତ ଦାବି ନେଇ ଦୀର୍ଘ ଦୁଇବର୍ଷରୁ ଦାବି କରି ଆସୁଛି। କିନ୍ତୁ ରାଜ୍ୟ ସରକାର ଆସୋସିଏଶନର ଦାବିକୁ କର୍ଣ୍ଣପାତ କରୁ ନ ଥିବାରୁ ଆସନ୍ତାକାଲି(ସୋମବାର)ଠାରୁ କେସିଙ୍ଗା ତଥା ରାଜ୍ୟର ବିଭିନ୍ନ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଦେବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆସୋସିଏଶନ ସଭାପତି ମହେଶ କୁମାର ବଂଶଲ। ଏ ପଟେ ଚାଷୀଙ୍କ ରବି ଧାନ ବିଭିନ୍ନ ମଣ୍ଡି ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡି ରହିଛି।
କେସିଙ୍ଗା ବ୍ଲକର କିକିଆ, ଉତକେଲା, କେସିଙ୍ଗା, ବେଲଖଣ୍ଡି ଇତ୍ୟାଦି ଧାନ ମଣ୍ଡିରେ ଧାନପଡି ରହିଛି। ରାଜ୍ୟ ସରକାରଙ୍କ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଯେ, ଆସନ୍ତା ୧୦ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଯଦି ବର୍ଷା ହେଲେ ଚାଷୀଙ୍କ ରବି ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି। ଏପଟେ ମିଲର୍ସ ଆସୋସିଏଶନ ୯ ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ସହ ବିଭିନ୍ନ ଧାନ ମଣ୍ଡିରେ ପଡ଼ି ରହିଥିବା ଧାନକୁ କିପରି ପ୍ୟାକ୍ସ ଦ୍ୱାରା ମିଲର୍ସ ଧାନ ଉଠାଇବେ ଚାଷୀ ଦାବି କରୁଛନ୍ତି। ଏ ସଂକ୍ରାନ୍ତରେ ଅଲ ଓଡ଼ିଶା ରାଇସ ମିଲର୍ସ ଆସୋସିଏଶନର ସଭାପତି ମହେଶ କୁମାର ବଂଶଲଙ୍କୁ ପଚାରିବାରୁ ଆମର ୯ଦଫା ଦାବିକୁ ରାଜ୍ୟ ସରକାର ପ୍ରଥମେ ମଞ୍ଜୁର କଲେ ଧାନ ଉଠାଇବୁ ବୋଲି ପ୍ରକାଶ କରିଥିଲେ।