ଭୁବନେଶ୍ୱର,୧୭।୭: FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍ଜିରେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ କରିଥିଲା ପୋଲିସ। ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ହସ୍ପିଟାଲ ବେଡ୍ରୁ ସୁଲତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏକ ବିସ୍ଫୋରକ ବୟାନ ନେଇ କହିଛନ୍ତି, ମୋତେ ମର୍ଡର କରିବାକୁ ପ୍ଲାନ୍ କରାଯାଇଥିଲା। ମୁଣ୍ଡକୁ ଟାର୍ଗେଟ୍ କରିକି ରବର ବୁଲେଟ୍ ମରାଯାଇଥିଲା। କାହିଁକି ମୋତେ ଟାର୍ଗେଟ୍ ମାରିବାକୁ ଯୋଜନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା। ସମଗ୍ର ଓଡିଶାବାସୀଙ୍କ ଉପରେ ଛାଡୁଛି। ଅନେକ ଯୁବ ଛାତ୍ର, ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବବି ଭାଇଙ୍କ ଗୋଡ ଭାଙ୍ଗିଛି, ଡାନି ଭାଇଙ୍କ ବି ଗୋଡ ଭାଙ୍ଗିଛି। ମୁଁ ଆଜି ହସ୍ପିଟାଲ ବେଡ୍ରେ, ଜାଣିନି କ’ଣ କେତେବେଳେ ହେବ। ମଶାଣୀଙ୍କୁ ଯିବା ପର୍ଯ୍ୟନ୍ତ ମୁଁ କହିବି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଲନି, ସେ ଚାଲିଗଲା, କେତେ ସ୍ବପ୍ନ ସେ ଦେଖିଥିବ। କେତେ ଝିଅଙ୍କୁ ଏମିତି ମାରିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁଲତା।
ଅନ୍ୟପଟେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି ସାରା ରାଜ୍ୟରେ ଓଡ଼ିଶା ବନ୍ଦ ଡାକରା ଦେଇଛି।


