ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ ଚିନ୍ତାର ବିଷୟ ପାଲଟିଛି। ବିଶ୍ୱବ୍ୟାପୀ ହାତୀଙ୍କ ସୁରକ୍ଷା ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ରେ ପାଳନ କରାଯାଉଛି ବିଶ୍ୱ ହସ୍ତୀ ଦିବସ। ଗଜରାଜଙ୍କ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ତେବେ ଏହି ଦିବସରେ ହାତୀଙ୍କ ପାଇଁ ଏକ ସୁରକ୍ଷିତ କରିଡ଼ର ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପରିବେଶ ପ୍ରସ୍ତୁତି ଲାଗି ଆହ୍ବାନ ଦିଆଯାଉଛି।

ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୧୯୮୯ ଅଗଷ୍ଟ ୧୦ରେ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଡକ୍ୟୁମେଣ୍ଟ’ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥିଲା। ଏହାପରେ ହାତୀ-ମଣିଷ ଲଢ଼େଇକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୯୦ରେ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ’ ଯୋଜନାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ପ୍ରଥମେ ଏଲିଫ୍ୟାଣ୍ଟ ରିଜର୍ଭ ବା ହାତୀ ସଂରକ୍ଷଣ ଅଞ୍ଚଳ ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିଲା। ବିଶେଷକରି ହାତୀ ବେଶି ଚଳପ୍ରଚଳ କରୁଥିବା ସ୍ଥାନଗୁଡ଼ିକୁ ନେଇ ଏଲିଫ୍ୟାଣ୍ଟ ରିଜର୍ଭ କରିବାକୁ ସ୍ଥିର ହୋଇଥିଲା। ଏହି କ୍ରମରେ ଓଡ଼ିଶାରେ ୫ଟି ସ୍ଥାନ ଯଥା ମୟୂରଭଞ୍ଜ, ସମ୍ବଲପୁର, ମହାନଦୀ, ବ୍ରାହ୍ମଣୀ ବୈତରଣୀ ଏବଂ ଦକ୍ଷିଣ ଓଡ଼ିଶାରେ ହାତୀ ରିଜର୍ଭ କରିବାକୁ ଚିହ୍ନଟ ହୋଇଥିଲା। ଏଥିମଧ୍ୟରୁ ମୟୂରଭଞ୍ଜ ଏଲିଫ୍ୟାଣ୍ଟ ରିଜର୍ଭ, ମହାନଦୀ ଏଲିଫ୍ୟାଣ୍ଟ ରିଜର୍ଭ ଏବଂ ସମ୍ବଲପୁର ଏଲିଫ୍ୟାଣ୍ଟ ରିଜର୍ଭ ଗଠନ ହୋଇଥିବାବେଳେ ଅନ୍ୟ ୨ଟି ହାତୀ ରିଜର୍ଭ କଥା ସରକାର ଭୁଲି ଯାଇଛନ୍ତି। ଫଳରେ ୩୬ ବର୍ଷ ପରେ ବି ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରି ନାହିଁ।
ଓଡ଼ିଶା ସରକାରଙ୍କ ବନ ବିଭାଗର ବନ୍ୟପ୍ରାଣୀ ସଂଗଠନ ପକ୍ଷରୁ ପ୍ରକାଶିତ ସରକାରୀ ବୈଷୟିକ ପ୍ରକାଶନ ଓ ସର୍ଭେ ରିପୋର୍ଟ ‘ଓ୍ବାଇଲ୍ଡ ଓରିଶା-୨୦୦୪’ରେ ୫ଟି ଯାକ ଏଲିଫ୍ୟାଣ୍ଟ ରିଜର୍ଭ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଥିଲା। ଏହାକୁ ଏସ୍‌.ସି. ମହାନ୍ତି, ସି.ଏସ୍‌. କର, ଏସ୍‌.କେ. କର ଏବଂ ଲାଲା ଏ.କେ. ସିଂହଙ୍କ ଭଳି ବିଶେଷଜ୍ଞମାନେ ସମ୍ପାଦନା କରିଥିଲେ। ଏହି ପ୍ରକାଶନରେ ୨୦୦୦ ଦଶକର ପ୍ରାରମ୍ଭରେ ଓଡ଼ିଶାର ଜୈବ ବିବିଧତା, ବନ୍ୟପ୍ରାଣୀ ସମ୍ପଦ, ସଂରକ୍ଷଣ କାର୍ଯ୍ୟକ୍ରମ ଏବଂ ସେହି କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ସମ୍ପର୍କରେ ବିସ୍ତୃତ ତଥ୍ୟ ସଙ୍କଳିତ ହୋଇଛି। ଏହା ଓଡ଼ିଶାର ବନ୍ୟଜନ୍ତୁ ଓ ଜୈବ ବିବିଧତା ସମ୍ବନ୍ଧୀୟ ଏକ ପ୍ରାମାଣିକ ସନ୍ଦର୍ଭ ଗ୍ରନ୍ଥ ଭାବେ ପରିଗଣିତ ହୁଏ। ଏଥିରେ ରହିଥିବା ତଥ୍ୟ ଅନୁଯାୟୀ, ସିମିଳିପାଳ ଟାଇଗର ରିଜର୍ଭ, କୁଲଡିହା ସାଞ୍ଚୁରି, ହଦଗଡ଼ ସାଞ୍ଚୁରି ଏବଂ ଅନ୍ୟାନ୍ୟ କିଛି ଅଞ୍ଚଳକୁ ନେଇ ୭୦୪୩.୭୪ ବର୍ଗ କି.ମି. ପରିଧିରେ ମୟୂରଭଞ୍ଜ ଏଲିଫ୍ୟାଣ୍ଟ ରିଜର୍ଭ ଗଠନ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୨୦୦୧ରେ ଏହି ଏଲିଫ୍ୟାଣ୍ଟ ରିଜର୍ଭ ଗଠିତ ହୋଇଥିଲା।

ସେହିପରି ମହାନଦୀ ଏଲିଫ୍ୟାଣ୍ଟ ରିଜର୍ଭ ପାଇଁ ସାତକୋଶିଆ ଓ୍ବାଇଲ୍ଡ ଲାଇଫ୍‌ ଡିଭିଜନ୍‌, ମହାନଦୀ ଓ୍ବାଇଲ୍ଡଲାଇଫ୍‌ ଡିଭିଜନ୍‌, ଅନୁଗୋଳ ଡିଭିଜନ୍‌, ଢେଙ୍କାନାଳ ଡିଭିଜନ୍‌, ଆଠଗଡ଼ ଡିଭିଜନ୍‌, ଆଠମଲ୍ଲିକ ଡିଭିଜନ୍‌, ବୌଦ୍ଧ ଡିଭିଜନ୍‌, ନୟାଗଡ଼ ଡିଭିଜନ୍‌ ଏବଂ କଟକ ଡିଭିଜନ୍‌ର ମୋଟ ୮୦୩୬.୩୨ ବର୍ଗ କି.ମି. ପରିଧିକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ରହିଥିଲା। ତେବେ ୨୦୦୨ରେ ଗଠିତ ହୋଇଥିବା ଏହି ରିଜର୍ଭରେ ପରିସୀମାକୁ କମାଇ ୧୦୩୮.୩୦ ବର୍ଗ କି.ମି.ରେ ସୀମିତ ରଖାଗଲା। ଫଳରେ ଯେତିକି ଅଞ୍ଚଳରେ ହାତୀ ବୁଲୁଥିଲେ ତାହା କଭର୍‌ କରାଯାଇପାରିଲା ନାହିଁ। ସମ୍ବଲପୁର ଏଲିଫ୍ୟାଣ୍ଟ ରିଜର୍ଭ ଗଠନ କ୍ଷେତ୍ରରେ ମଧ୍ୟ ଏହାର ପୁନରାବୃତ୍ତି କରାଯାଇଛି। ତଥ୍ୟ ଅନୁଯାୟୀ, ବାମରା ଓ୍ବାଇଲ୍ଡ ଲାଇଫ, ସମ୍ବଲପୁର (ଦକ୍ଷିଣ), ସମ୍ବଲପୁର (ଉତ୍ତର), ବଣାଇ ଏବଂ ରୈରାଖୋଲ ଡିଭିଜନକୁ ନେଇ ମୋଟ ୫୮୪୬.୮୬୯୭ ବର୍ଗ କି.ମି.ରେ ଏହି ରିଜର୍ଭ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ପରେ ଏହାକୁ ୪୨୬.୯୧ ବର୍ଗ କି.ମି.ରେ ସୀମିତ ରଖାଯାଇଛି। ତେବେ କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବଣାଇ ଫରେଷ୍ଟ ଡିଭିଜନ୍‌କୁ ନେଇ ୧୦୫୬୦.୧୮ ବର୍ଗ କି.ମି.ରେ ହେବାକୁ ଥିବା ବ୍ରାହ୍ମଣୀ-ବୈତରଣୀ ଏଲିଫ୍ୟାଣ୍ଟ ରିଜର୍ଭ ଏବଂ ବାଲିଗୁଡା, ପାରଳାଖେମୁଣ୍ଡି, କଳାହାଣ୍ଡି (ଦକ୍ଷିଣ), କଳାହାଣ୍ଡି (ଉତ୍ତର) ଏବଂ ରାୟଗଡ଼ା ଡିଭିଜନ୍‌ ସାଞ୍ଚୁରିକୁ ନେଇ ହେବାକୁ ଥିବା ଦକ୍ଷିଣ ଓଡ଼ିଶା ଏଲିଫ୍ୟାଣ୍ଟ ରିଜର୍ଭ ଆଜି ମଧ୍ୟ କେବଳ ପ୍ରସ୍ତାବ ମଧ୍ୟରେ ସୀମିତ ରହି ଯାଇଛି।
ନଷ୍ଟ ହେଲାଣି ହାତୀ କରିଡର
ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଅନ୍ତର୍ଗତ ୨୦୦୯-୧୦ ବେଳକୁ ହାତୀ କରିଡରକୁ ସାମିଲ କରାଯାଇଥିଲା। ୨୦୧୦ ଜାନୁୟାରୀରେ ରାଜ୍ୟ ସରକାର ୧୪ଟି ହାତୀ କରିଡର ବା ହାତୀ ଚଲାପଥ ଚିହ୍ନଟ କରିଥିଲେ। ବାଦାମପାହାଡ଼-ଧୋବାଧୋବଣୀ, ବାଦାମପାହାଡ଼-କରିଡ଼ା, ପଶ୍ଚିମବଙ୍ଗ-ଦେଉଳି-ଶୁଳିଆପଦା, କୁଲଡିହା-ହଦଗଡ଼-ଶିମିଳିପାଳ, ତେଲକୋଇ-ପାଲଲହଡ଼ା, କେନ୍ଦୁଝର-କରମପଡ଼ା (ଝାଡ଼ଖଣ୍ଡ), ମାଉଳଭଞ୍ଜ-ଜିରିଡିମାଳ-ଅନନ୍ତପୁର, କହ୍ନେଇଜେନା-ଅନନ୍ତପୁର, ବୁଗୁଡା-ନୟାଗଡ଼, ନୂଆଗଁା-ବାରୁଣୀ, ତାଳ-ଖୋଲଗଡ଼, ବରପାହାଡ଼-ତରଭା-କଣ୍ଟାମାଳ, କୋଟଗଡ଼-ଚନ୍ଦ୍ରପୁର ଏବଂ କର୍ଲାପାଟ-ଉର୍ଲାଦାନି ଆଦି ଏହି ୧୪ଟି କରିଡ଼ର ୮୭୦ବର୍ଗ କିଲୋମିଟର ପରିବ୍ୟାପ୍ତ ଥିଲା। ଏହାର ଲମ୍ବା ୪୨୦.୮ କି.ମି. ରହିଥିବାବେଳେ ଚଉଡା ୦.୦୮-୪.୬ କି.ମି. ରହିଥିଲା। ଏହା ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ୩ଟି ରାଜ୍ୟକୁ ସଂଯୋଗ କରୁଥିଲା। ଯଦିଓ ଏସବୁ କରିଡର ଉନ୍ନତି ପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, କିନ୍ତୁ କରିଡରଗୁଡ଼ିକୁ ଏପର୍ଯ୍ୟନ୍ତ ଆଇନଗତ ସୁରକ୍ଷା ମିଳିପାରିନାହିଁ। ଫଳରେ ଏଗୁଡ଼ିକ ନଷ୍ଟ ହେବାରେ ଲାଗିଛି।

ହାତୀଙ୍କ ପାଇଁ ଘାତକ ସାଜୁଛି ବିଦ୍ୟୁତ୍‌ ତାର

ଓଡ଼ିଶାରେ ହାତୀ ମୃତ୍ୟୁହାର ଉଦ୍‌ବେଗଜନକ ଭାବେ ବଢି ଚାଲିଛି। ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଖବର ପ୍ରକାଶ ପାଉଛି। କେତେବେଳେ ଶିକାରୀଙ୍କ ଗୁଳି ତ ଆଉ କେତେବେଳେ ଟ୍ରେନ୍‌ ଦୁର୍ଘଟଣା ଏବଂ ବିଦ୍ୟୁତ୍‌ ଆଘାତ ସେମାନଙ୍କ ପାଇଁ କାଳ ସାଜୁଛି। ବନବିଭାଗ କର୍ମଚାରୀଙ୍କ ଅପାରଗତା ଏବଂ ଶିକାରୀଙ୍କ ପ୍ରାଦୁର୍ଭାବ ପାଇଁ ଏଭଳି ଅଘଟଣ ବଢ଼ି ଚାଲିଛି। ତେବେ ଅଧିକାଂଶ ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରୁଛନ୍ତି। ୧୯୯୯-୨୦୦୦ରେ ବାର୍ଷିକ ୩୩ ଥିବାବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ବାର୍ଷିକ ୪୬କୁ ବଢି ଯାଇଥିଲା।

ସେହିପରି ବନବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୦ ପରଠାରୁ ବାର୍ଷିକ ମୃତ୍ୟୁହାର ୭୮ରେ ପହଞ୍ଚତ୍ଲାଣି। ୨୦୧୦ ରୁ ୨୦୨୦ ମଧ୍ୟରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୨୦ରୁ ୨୦୨୬ ମଧ୍ୟରେ ମୋଟ୍‌ ୫୧୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୨୧-୨୨ରେ ୮୬ଟି ହାତୀ, ୨୦୨୨-୨୩ରେ ୯୩ଟି, ୨୦୨୩-୨୪ରେ ୬୬ଟି, ୨୦୨୪-୨୫ରେ ୧୦୫ଟି ଏବଂ ୨୦୨୫-୨୬ରେ ୮୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଅଧିକାଂଶ ହାତୀଙ୍କର ମୃତ୍ୟୁ ବିଦ୍ୟୁତ୍‌ ଆଘାତରେ ହୋଇଥିବା ସୂଚନା ଦିଆଯାଇଛି। ବନ୍ୟଜନ୍ତୁ ଶିକାର ପାଇଁ ଇଲେକ୍ଟ୍ରିକ୍‌ କରେଣ୍ଟ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ବାର୍‌ହା, ଶମ୍ବର କିମ୍ବା ଅନ୍ୟ ବନ୍ୟପ୍ରାଣୀଙ୍କୁ ମାରିବା ପାଇଁ ଶିକାରୀମାନେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ବ୍ୟବହାର କରୁଛନ୍ତି। ଏପରି କି ଫସଲକୁ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ କବଳରୁ ରକ୍ଷା ପାଇଁ ମଧ୍ୟ ବିଦ୍ୟୁତ୍‌ ବ୍ୟବହାର କରାଯାଉଛି। ଫଳରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅନେକ ହାତୀଙ୍କ ମୃତ୍ୟୁ ହେଉଛି।

ହାତୀମାନେ ଜଙ୍ଗଲର ଜନ୍ମଦାତା
ହାତୀ ଏକ ବିଶାଳକାୟ ଜୀବ। ସେମାନଙ୍କ ବଞ୍ଚତ୍ବା ପାଇଁ ପ୍ରଚୁର ପରିମାଣର ଖାଦ୍ୟ ଏବଂ ପାନୀୟ ଦରକାର। ହାତୀମାନଙ୍କ ପ୍ରବୃତ୍ତି ହେଉଛି ସେମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରଣ କରିବେ। ଏହି ସମୟରେ ସେମାନେ ମଳତ୍ୟାଗ କରିବାରୁ ଖାଇଥିବା ଖାଦ୍ୟର ମଞ୍ଜି ତଳେ ପଡି ନୂତନ ଗଛ ସୃଷ୍ଟି ହୁଏ। ଏହା ସିଡ୍‌ ବଲ୍‌ ଭଳି କାର୍ଯ୍ୟ କରିଥାଏ। ଏହାଦ୍ୱାରା ସେମାନେ ପରୋକ୍ଷରେ ଜଙ୍ଗଲ ସୃଷ୍ଟି କରି ମଣିଷଙ୍କର ହିତ ସାଧନ କରିଥାନ୍ତି। ତେଣୁ ହାତୀମାନଙ୍କୁ ଜଙ୍ଗଲର ଜନ୍ମଦାତା ବୋଲି କୁହାଯାଇଥାଏ। ମାତ୍ର ବର୍ତ୍ତମାନ ବିକାଶ ନାମରେ କଳକାରଖାନାଠାରୁ ଆରମ୍ଭ କରି ରାସ୍ତାଘାଟ, ଶିଳ୍ପ କାରଖାନା, ଡ୍ୟାମ୍‌ ଆଦି ନିର୍ମାଣ ପାଇଁ ଜଙ୍ଗଲ ନଷ୍ଟ କରାଯାଉଛି। ସେହିପରି ହାତୀମାନେ ସବୁ ଗଛ ଖାଆନ୍ତି ନାହିଁ। ଋତୁ ଅନୁଯାୟୀ ମଧ୍ୟ ସେମାନେ କିଛି ଗଛକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଜଙ୍ଗଲ ନଷ୍ଟ ହେବା କାରଣରୁ ସେମାନଙ୍କ ଖାଦ୍ୟ ନଷ୍ଟ ହେଉଛି। ଫଳରେ ସେମାନେ ବାଧ୍ୟ ହୋଇ ଜନବସତି ମୁହଁା ହେଉଛନ୍ତି। ତେଣୁ ହାତୀମାନଙ୍କ ଖାଦ୍ୟର ଅଭାବ ନ ହେଲେ ବା ଲୋକମାନେ ସଚେତନ ହୋଇ ହାତୀମାନେ ଖାଦ୍ୟ ଭାବେ ଗ୍ରହଣ କରୁଥିବା ଗଛକୁ କରିଡରଗୁଡିକରେ ଲଗାଇଲେ ସେମାନେ ଜନବସତି ମୁହଁା ହେବେନାହିଁ। ସେହିପରି ଅନେକ ସମୟରେ ଲୋକମାନେ ଫସଲ ରକ୍ଷା ଏବଂ ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଉଛନ୍ତି। ଫଳରେ ଖାଦ୍ୟ ପାଇଁ ଆସୁଥିବା ହାତୀମାନେ ଏହାର ସଂସ୍ପର୍ଶରେ ଆସି କେତେବେଳେ ମୃତ୍ୟୁବରଣ କରୁଛନ୍ତି ତ ଆଉ କେତେବେଳେ ପାଗଳପ୍ରାୟ ହୋଇ ବେଶି କ୍ଷୟକ୍ଷତି କରୁଛନ୍ତି। ମୋଟାମୋଟି ଭାବେ ମଣିଷ ସମାଜ ନିଜର ସୁରକ୍ଷା କରି ହାତୀଙ୍କୁ ଅସୁରକ୍ଷିତଭାବେ ଛାଡିଦେବା ଉଚିତ ନୁହେଁ। ବିକାଶ ସହିତ ଆମର ସାଥୀ ହାତୀର ସୁରକ୍ଷା ମଧ୍ୟ ଦେଖିବାକୁ ପଡିବ।
– ଡ. ବିଶ୍ୱଜିତ୍‌ ପଣ୍ଡା, ପ୍ରତିଷ୍ଠାତା ସମ୍ପାଦକ, ବିକାଶ ସାଥୀ ପରିବାର
ହାତୀ ଚଲାପଥଗୁଡିକର ଆସେସ୍‌ମେଣ୍ଟ ପାଇଁ ପ୍ରୋଜେକ୍ଟ ଆରମ୍ଭ ହୋଇଛି
ଦିନକୁ ଦିନ ହାତୀର ବଞ୍ଚତ୍ବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ, ପାନୀୟ ଏବଂ ତା’ର ଚଳାଚଳ କରିବାକୁ ଆବଶ୍ୟକ ହେଉଥିବା ଚଲାପଥର ଅଭାବ ଦେଖାଦେଉଛି। ମଣିଷଙ୍କ ସଂଖ୍ୟା ଧୀରେ ଧୀରେ ବଢିବା ସହିତ ସେମାନଙ୍କ ଆବଶ୍ୟକତା ବଢି ଚାଲିଛି। ଫଳରେ ରାସ୍ତାଘାଟଠାରୁ ଆରମ୍ଭ କରି ଘର, ଶିଳ୍ପ କାରଖାନା, ରେଳ ଲାଇନ୍‌ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଜଙ୍ଗଲ ନଷ୍ଟ କରାଯାଉଛି। ତେବେ ବିକାଶମୂଳକ କାର୍ଯ୍ୟ ସହିତ ହାତୀମାନଙ୍କ ଚଲାପଥର ବ୍ୟବସ୍ଥା କରାଯିବା ଦରକାର। ସେମାନଙ୍କ ଆବଶ୍ୟକତାକୁ ଦେଖି ଅଣ୍ଡରପାସ୍‌, ଓଭରପାସ୍‌ ଆଦିର ନିର୍ମାଣ କରାଯିବା ଦରକାର। ୨୦୧୦ରେ ଚିହ୍ନଟ ହୋଇଥିବା ୧୪ଟି ହାତୀ ଚଲାପଥ (କରିଡର୍‌)ଗୁଡିକର ଖୁବ୍‌ଶୀଘ୍ର ଆସେସ୍‌ମେଣ୍ଟ କରାଯିବ। ଏନେଇ ଗତ ମାର୍ଚ୍ଚରେ ଏଭରଗ୍ରୀନ୍‌ ଫୋରମ୍‌ ପକ୍ଷରୁ ଏକ ରିସର୍ଚ୍ଚ ପ୍ରୋଜେକ୍ଟ ଆରମ୍ଭ କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ବର୍ତ୍ତମାନ ସ୍ଥିତିକୁ ପର୍ଯ୍ୟବେକ୍ଷଣ କରାଯିବା ସହ ସାଟେଲାଇଟ୍‌ ଇମେଜରେ ଷ୍ଟଡି ଆରମ୍ଭ ହୋଇଛି।
– ଲାଲା ଅଶ୍ୱିନୀ କୁମାର ସିଂ, ଅବସରପ୍ରାପ୍ତ ବନ୍ୟପ୍ରାଣୀ ଗବେଷକ

ରିପୋର୍ଟ: ବନ୍ଦନା ସେଠୀ

Share