ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାରେ ଇଣ୍ଟେଲିଜେଣ୍ଟ ଏନ୍‌ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଆଇଇଏମ୍‌ଏସ୍‌) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ୨୦୨୩ରେ ରାଜ୍ୟରେ ୫୬୯୬ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୧୧ ହଜାର ଆହତ ହୋଇଛନ୍ତି। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣା ଯୋଗୁ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ୨୦୨୨ରେ ପିଡବ୍ଲ୍ୟୁଡି, ଏମ୍‌ଡିଆର୍‌, ଓଡିଆର୍‌ ପରିସରରେ ଥିବା ଜାତୀୟ ରାଜପଥଗୁଡ଼ିକରେ ୩୮୬୧ ଜଣଙ୍କର ମୃତ୍ୟୁ ହୋଇଛି। ୬୭ ପ୍ରତିଶତ ଦୁର୍ଘଟଣା ଓଭରସ୍ପିଡ୍‌ ଯୋଗୁ ହୋଇଥିବା ବେଳେ ୮ ପ୍ରତିଶତ ଭୁଲ ଦିଗରେ(ରଙ୍ଗ୍‌ ସାଇଡ୍‌) ଗାଡ଼ି ଚଳାଇବା ଯୋଗୁ ହୋଇଛି। ୪୩ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଭୁଲ ଦିଗରେ ଗାଡ଼ି ଚଳାଇଛନ୍ତି। ଏଥିଯୋଗୁ ୪୫.୬ ପ୍ରତିଶତ ଚାଳକଙ୍କର ମୃତ୍ୟୁ ହୋଇଛି। ଏହାକୁ ହ୍ରାସ କରିବା ପାଇଁ ନିୟମ ଭାଙ୍ଗୁଥିବା ଯାନ ଚାଳକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ଉଚିତ। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଆଇଇଏମ୍‌ଏସ୍‌ ଏନ୍‌ଏଚ୍‌-୧୬ରେ ୧୪୦ କି.ମି. ଯାଏ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏଥିଯୋଗୁ ସଡ଼କ ଦୁର୍ଘଟଣା ହ୍ରାସ କ୍ଷେତ୍ରରେ ସଫଳତା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଜିଲା ଓ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାଗୁଡ଼ିକରେ ଆଇଇଏମ୍‌ଏସ୍‌ କାର୍ଯ୍ୟକାରୀ କରିବାକୁ ୨୦୨୪ ଫେବୃୟାରୀ ୨୯ ତାରିଖରେ ଅନୁଷ୍ଠିତ ରାଜ୍ୟ ସଡ଼କ ନିରାପତ୍ତା ପରିଷଦରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ନିର୍ମାଣାଧୀନ ଓ ଅନ୍ୟାନ୍ୟ ସଡ଼କଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।