ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ ସେମାନେ ନିଶ୍ଚୟ ଛବି ହେଉ ବା ୟୁଟ୍ୟୁବ ମାଧ୍ୟମରେ ସନ୍ଦର୍ଶନ କରିଥିବେ। ଏବେ ଓଟ ଚାଲୁଥିବା ରାସ୍ତା ଓ ତା’ ଉପରେ ବରଫ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଲାଣି। ନିକଟରେ ସାଉଦି ଆରବର ତାବୁକ, ଅଲ୍‌-ଜାଓ୍ବଫ୍‌ ସମେତ କିଛି ଅଞ୍ଚଳରେ ହୋଇଥିବା ହିମପାତ ମରୁଭୂମିଯୁକ୍ତ ପର୍ବତମାଳାକୁ ବରଫଯୁକ୍ତ ଦୃଶ୍ୟରେ ପରିଣତ କରିଦେଇଛି। ଏଭଳି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଫଳରେ ବାଲି ଉପରେ ବରଫ ପାହାଡ଼ ଦେଖାଦେଇଥିଲା। ୩୦ ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ହାଲୁକା ବରଫ ପଡ଼ିଥିବା ବେଳେ ଏବର ହିମପାତ ଆକାର ଚିନ୍ତା ସୃଷ୍ଟି କରିଛି। ଉଲ୍ଲେଖ କରାଯାଇପାରେ ଯେ, ସାଉଦି ଆରବ ଉଷ୍ମ ଜଳବାୟୁ ପାଇଁ ଜଣାଶୁଣା। ବାର୍ଷିକ ହାରାହାରି ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ରହୁଥିବା ବେଳେ ଶୀତ ଦିନରେ କେତେକ ଅଞ୍ଚଳରେ ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଯାଏ। ପ୍ରାୟ ଗ୍ରୀଷ୍ମ ଋତୁ ୫୦ ଡିଗ୍ରୀ ତାପମାତ୍ରାରେ କଟେ। ଏବର ସ୍ଥିତିରେ ସେଠାରେ ଶୀତଳ ତରଙ୍ଗ ବିଭିନ୍ନ ଅଞ୍ଚଳରେ ବରଫପାତ କରାଇବା ସହ ବ୍ୟାପକ ବର୍ଷା ଆଣିଦେଇଛି। ସ୍ଥାନୀୟ ବାସିନ୍ଦା ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବରଫଯୁକ୍ତ ମରୁଭୂମି ଦୃଶ୍ୟର ଭିଡିଓଗୁଡ଼ିକ ଭାଇରାଲ ହେବା ଅନେକଙ୍କୁ କ୍ଷଣିକ ଆନନ୍ଦ ଦେଇପାରେ। କିନ୍ତୁ ତାହା ଏକ ସୁନ୍ଦର ଦୃଶ୍ୟ ନୁହେଁ, ବରଂ ଏହା ଖରାପ ସଙ୍କେତ ଦେଉଛି। ଏଭଳି ବ୍ୟତିକ୍ରମ ଜଳବାୟୁ ପରିବର୍ତ୍ତନ କେତେ ମାତ୍ରାରେ ହୋଇଗଲାଣି, ତାହାକୁ ସୂଚାଉଛି।
ଉତ୍ତର ସାଉଦି ଆରବ ଉପର ଦେଇ ଏକ ଶୀତଳ ବାୟୁ ପ୍ରବାହ ଯୋଗୁ ପ୍ରବଳ ବର୍ଷା, ପବନ ସହ ତାପମାତ୍ରା ଯଥେଷ୍ଟ କମିଯିବା ହିମପାତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଇଛନ୍ତି। ମରୁଭୂମିରେ ହିମପାତ ପୃଥିବୀର ଜଳବାୟୁ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଘଟୁଛି ବୋଲି ଦର୍ଶାଇଥିବାରୁ ଏହା ସ୍ପଷ୍ଟ କୁହାଯାଇପାରେ ଯେ, ପ୍ରାଣୀଜଗତ ପାଇଁ ବିପଦ ବେଶି ଦୂରରେ ନାହିଁ। ଜଳବାୟୁ ବିଜ୍ଞାନୀମାନେ ଏହି ଘଟଣାକୁ ‘ସମ୍ପୂର୍ଣ୍ଣ ବିପରୀତ’ ବୋଲି ବର୍ଣ୍ଣନା କରିଛନ୍ତି । ଏହାକୁ ସାଉଦି ଆରବ ଇତିହାସରେ ସର୍ବାଧିକ ଚରମ ଜଳବାୟୁ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ଡିସେମ୍ବର ଶେଷ ସପ୍ତାହରେ ମରୁ ଅଞ୍ଚଳରେ ବରଫ ପଡ଼ିଥିବା ବେଳେ ଆଇସ୍‌ଲାଣ୍ଡ ଭଳି ପ୍ରବଳ ଥଣ୍ଡା ଭୂଖଣ୍ଡରେ ସର୍ବାଧିକ ତାପମାତ୍ରା ପାଖାପାଖି ୨୦ ଡିଗ୍ରୀରେ ପହଞ୍ଚତ୍ଛି। ଏଠାରେ କୁହାଯାଇପାରେ ଯେ, ପୃଥିବୀର ପ୍ରତ୍ୟେକ ଅଞ୍ଚଳ ସମାନ ସ୍ଥିତି ଅନୁଭବ କରୁନାହିଁ। ସାଉଦି ଆରବରେ ଏହି ବିରଳ ହିମପାତ ବିଶ୍ୱବ୍ୟାପୀ ପାଣିପାଗ ଅସ୍ଥିରତାର ତାଲିକାରେ ସଦ୍ୟ ଯୋଡ଼ି ହୋଇଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରେ ଅପ୍ରତ୍ୟାଶିତ ବର୍ଷା, ଦକ୍ଷିଣ ଏସିଆରେ ତୀବ୍ର ଉଷ୍ମ ବାୟୁ, ଶୁଷ୍କ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଆକସ୍ମିକ ବନ୍ୟା, ଉତ୍ତର ଆଫ୍ରିକାର କିଛି ଅଂଶରେ ହିମପାତ, ଉତ୍ତର ଆମେରିକା ଓ ୟୁରୋପରେ ଅତ୍ୟଧିକ ଶୁଷ୍କ-ଉଷ୍ମ ବାୟୁ ପ୍ରବାହ ବିଶ୍ୱବ୍ୟାପୀ ପାଣିପାଗର ଅସନ୍ତୁଳନ ସ୍ଥିତିକୁ ଦର୍ଶାଉଛି।
ଅନ୍ୟ ଦେଶ ବିଷୟରେ ଆଲୋଚନା ହେଉଥିବା ବେଳେ ଭାରତରେ ସ୍ଥିତି କିଭଳି ହେଲାଣି ସମସ୍ତେ ପ୍ରାୟ ଅନୁଭବ କଲେଣି। ଏଠାରେ ଆମେ ତାପଦାହ, ଅତ୍ୟଧିକ ବର୍ଷା ଏବଂ ଅପ୍ରତ୍ୟାଶିତ ଅଞ୍ଚଳରେ ଅଚାନକ ପ୍ରବଳ ଥଣ୍ଡା ଅନୁଭବ କରୁଛେ। ଏସବୁ ପଛରେ ମନୁଷ୍ୟକୃତ କାର୍ଯ୍ୟକଳାପ ଦାୟୀ ବୋଲି ଢେର ଆଲୋଚନା ହେଲାଣି। ସେଥିପାଇଁ ଅତ୍ୟଧିକ ଚାରାରୋପଣର ଆବଶ୍ୟକତା ବିଷୟରେ ଉଲ୍ଲେଖ କରାଯାଉଛି। କିନ୍ତୁ ଯେଉଁଭଳି ହାରରେ ଜଳବାୟୁ ପରିବର୍ତ୍ତନ ଘଟୁଛି, ତାହା ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଲକ୍ଷ୍ୟ କରାଗଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତରେ ବିତର୍କ ସୃଷ୍ଟି କରିଥିବା ‘ଆରାବଳି’ ପ୍ରସଙ୍ଗ ସମସ୍ତଙ୍କ ଆଖି ଖୋଲିଦେବା କଥା। ନୂଆ ପରିଭାଷା ସୃଷ୍ଟି କରାଯାଇ ତାହାର ବିଭିନ୍ନ ଅଂଶକୁ ଯଦି ନଷ୍ଟ କରି ଦିଆଯାଏ, ତାହା ହେଲେ ଆଗକୁ ସୃଷ୍ଟି ହେବାକୁ ଥିବା ବିପଦ ପାଇଁ ପ୍ରକୃତିକୁ ଦାୟୀ କରାଯାଇପାରିବ ନାହିଁ। ଏବେ ଚାରାରୋପଣ କଲେ ତାହା ପୁଣି ଦ୍ରୁମରେ ପରିଣତ ହେବାକୁ ଢେର ବର୍ଷ ଲାଗିଯିବ। ସେହି କଥା ନ ଭାବି ଅବିଚାରିତ ଭାବେ ଗଛ କାଟି ଦିଆଗଲେ ପରିଣତି ଭୟାବହ ହେବା ସୁନିଶ୍ଚିତ। ଏହି ସମୟରେ ଭାରତୀୟଙ୍କ ସମେତ ସମଗ୍ର ବିଶ୍ୱ ସାଉଦି ଜଳବାୟୁ ପରିବର୍ତ୍ତନରୁ ଶିକ୍ଷା ନେଇ ଅସ୍ବାଭାବିକ ସ୍ଥିତିର ମୁକାବିଲା ପାଇଁ ସଘନ ପ୍ରୟାସ କରିବାର ସମୟ ଉପନୀତ। ଏଥିରେ ଅବହେଳା କଲେ ପୃଥିବୀର କେତେକ ଅଞ୍ଚଳର ଜଳବାୟୁ ସହ ଖାପ ଖାଇ ବଞ୍ଚୁଥିବା ଜୀବ ଓ ଉଦ୍ଭିଦ ଲୋପ ପାଇଯିବେ, ଯାହା ଅନେକ ସ୍ଥାନରେ ଆରମ୍ଭ ହୋଇଗଲାଣି। ଏମିତିବି ହୋଇପାରେ ଓଟ ଉପରେ ବରଫର ଦୃଶ୍ୟକୁ ଉପଭୋଗ କରୁଥିବା ଆଜିର ଲୋକେ ଆଗାମୀ ସମୟରେ ଏହି ପ୍ରାଣୀର ଛବି ସେମାନଙ୍କ ପରପିଢ଼ିକୁ ଦେଖାଇବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri