Categories: ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ୩ରେ ରାହୁଲ, ଅଷ୍ଟମସ୍ଥାନରେ କୋହଲି

ଦୁବାଇ,୧୦।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ଓପନର ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ତାଲିକାର ଶ୍ରେଷ୍ଠ ୩ରେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ୮୧୬ ପଏଣ୍ଟ ହାସଲ କରି ରାହୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡଓ୍ବେିଡ ମଲାନ ୯୧୫ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ଚତୁର୍ଥ ସ୍ଥାନକୁ ଖସିଛନ୍ତି।
ସେହିପରି ବୋଲିଂ ତାଲିକାରେ ଅଷ୍ଟ୍ରେଲିଆ ଯୁବ ଲେଗ୍‌ ସ୍ପିନର ଆଡାମ ଜାମ୍ପା ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନର ରସିଦ ଖାଁ ଓ ମୁଜିବ- ଉର- ରହମାନ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ସ୍ପିନର ଆଦିଲ ରସିଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ବାଂଲାଦେଶର ସାକିମ ଅଲ ହାସନ, ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Share