ନୂଆଦିଲ୍ଲୀ,୧୯।୧୧: ଗୁରୁବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର (୧୮ ନଭେମ୍ବର) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ ଦଳ ଉପରେ ବଡ଼ ଜରିମାନା ଲଗାଇଛି। ନଭେମ୍ବର ୧୫ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ପଞ୍ଚମ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ଧିମା ଓଭର ଗତି ପାଇଁ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ ମ୍ୟାଚ ଫି’ର ୩୫ ପ୍ରତିଶତ ଜରିମାନା ଲଗାଯାଇଛି।
ସମୟର ରିହାତିକୁ ବିଚାରକୁ ନେବା ପରେ ମଧ୍ୟ ଭାରତୀୟ ଦଳ ନିର୍ଦ୍ଧାରିତ ଓଭର ରେଟ୍ଠାରୁ ୭ ଓଭର ପଛରେ ରହିଥିଲା। ଖେଳାଳି ଓ ଖେଳାଳି ସହାୟକ କର୍ମଚାରୀଙ୍କ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ନିର୍ଦ୍ଧାରିତ ଓଭର ରେଟ୍ଠାରୁ ପ୍ରତ୍ୟେକ ଓଭର ପଛରେ ରହିବା ପାଇଁ ଖେଳାଳିଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲଗାଯାଇଥାଏ। ତେବେ ଏହି ଜରିମାନାର ସର୍ବାଧିକ ସୀମା ୫୦ ପ୍ରତିଶତ ରହିଛି।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଭାରତର ଷ୍ଟାଣ୍ଡ-ଇନ ଦିନିକିଆ ଅଧିନାୟକ ଶ୍ରେୟସ ଆୟର ମ୍ୟାଚ ରେଫରି ରଞ୍ଜନ ମଦୁଗଲେଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସ୍ବୀକାର କରିନେଇଥିଲେ। ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।
ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିଜୟ ସହ ଭାରତୀୟ ଦଳ ସିରିଜ ନିଜ ନାମରେ କରିଥିଲା। ପଞ୍ଚମ ମ୍ୟାଚର ଆରମ୍ଭରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍ମାନେ ଦଳକୁ ସମ୍ଭାଳିଥିଲେ। ଇଶାନ କିଶନ ଓ ଅକ୍ଷର ପଟେଲ ୪୬ ରନ ଲେଖାଏ ସଂଗ୍ରହ କରି ଭାରତର ସ୍କୋରକୁ ୨୦୯ ରନରେ ପହଞ୍ଚାଇଥିଲେ।
ଜବାବରେ ନ୍ୟୁଜିଲାଣ୍ଡ ଦଳ ୧୮୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲର୍ମାନେ ଚମତ୍କାର ପ୍ରଦର୍ଶନ କରି ୨୨ ରନରେ ବିଜୟ ହାସଲ କରିଥିଲେ। ଏହା ସହ ଭାରତ ୩-୧ରେ ସିରିଜ ଜିତିଥିଲା।