Categories: ଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଆଇସିସିର ନିନ୍ଦା: କାର୍ଯ୍ୟାନୁଷ୍ଠାନ ନେଇ ସିଏଠାରୁ ରିପୋର୍ଟ ମାଗିଲା

ଦୁବାଇ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏ ନେଇ ପଡିଆରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଖେଳ କିଛି ସମୟ ବନ୍ଦ ରହିଥିଲା। ଫଳରେ କେତେଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରି ଦିଆଯାଇଥିଲା। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଏ ନେଇ କ୍ଷମା ମାଗିଥିଲା। ତେବେ ରବିବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ମାମଲାରେ ଆଇସିସି ସିଏଠାରୁ ରିପୋର୍ଟ ମାଗିଛି। ଏଥିରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଆଇସିସି ସ୍ପଷ୍ଟୀକରଣ ମାଗିଛି। ଏହାକୁ ଆଇସିସି ଦୃଢ଼ ଭାବେ ନିନ୍ଦା କରିଛି। ଏହି ଘଟଣାର ତଦନ୍ତ ପାଇଁ ଆଇସିସି ସିଏକୁ ସବୁପ୍ରକାର ସହାୟତା ପ୍ରଦାନ କରିବାକୁ ରାଜି ଅଛି ବୋଲି କହିଛି।
କ୍ରିକେଟରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଓ ଏହି ଭଳି ଘଟଣାକୁ ଆଦୌ ବରାଦସ୍ତ କରାଯିବ ନାହିଁ ବୋଲି ଆଇସିସି ମୁଖ୍ୟ କାର୍ଯନିର୍ବାହୀ ମନୁ ସନେ କହିଛନ୍ତି। ଭେଦଭାବ ଓ ବର୍ଣ୍ଣବୈଷମ୍ୟ ଆକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ସିଏ ଓ ଗ୍ରାଉଣ୍ଡ କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଇସିସି ତାହାକୁ ସ୍ବାଗତ କରିଛି।
ଉଲ୍ଲେଖଥାଉ କି, ଶନିବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଜଣେ ମଦ୍ୟପ ଦର୍ଶକ ସିରାଜ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଆଇସିସି ଭେଦଭାବ ନିରୋଧ ନିୟମ ଅନୁଯାୟୀ ସିଏକୁ ଏହି ମାମଲାରେ ତଦନ୍ତ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଉଲ୍ଲେଖଥାଉ କି, ସିରାଜଙ୍କୁ ସମ୍ପୃକ୍ତ ଉଚ୍ଛୃଙ୍ଖଳ ଦର୍ଶକମାନେ ମଙ୍କି (ମାଙ୍କଡ) ଓ ବ୍ରାଉନ୍‌ ଡଗ୍‌ (ବାଦାମୀ ରଙ୍ଗର କୁକୁର) ବୋଲି କହିଥିଲେ। ଏହି ଘଟଣା ୨୦୦୭-୦୮ରେ ଭାରତର ଅଷ୍ଟେଲିଆ ଗସ୍ତ ଅବସରରେ ହୋଇଥିବା ବହୁ ଚର୍ଚ୍ଚିତ ମଙ୍କିଗେଟ୍‌ ମାମଲାକୁ ମନେ ପକାଇଦେଇଛି।

Share