ଭୁବନେଶ୍ୱର,୫ା୮ (ପ୍ରସନଜିତ୍ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି ହ୍ରାଇଡ୍ରାମା କରିଥିଲେ ଜଣେ ନାବାଳିକା। ନାବାଳିକା ଜଣକ ମଞ୍ଚେଶ୍ୱର ଥାନା ଝରଣାବସ୍ତି(ଖ) ଅଞ୍ଚଳରେ ରହୁଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରି ସୁଧାର ଗୃହରେ ଛାଡିଛି।
ଅନୁଯାୟୀ, ଝରଣାବସ୍ତିରେ ରହୁଥିବା ଯୁବତୀଙ୍କ ପ୍ରେମିକ ପୋକ୍ସୋ ମାମଲାରେ ଗିରଫ ହୋଇ ମାସେ ହେବ ଜେଲରେ ଅଛନ୍ତି। ନାବାଳିକା ପ୍ରେମିକଙ୍କ ଘରେ ଥିବା ବେଳେ ତାଙ୍କ ମା’ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପ୍ରେମିକଙ୍କୁ ଗିରଫ କରି ଜେଲ ପଠାଇବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ମଙ୍ଗଳବାର ଏହି ମାମଲାରେ ବୟାନ ରେକର୍ଡ ପାଇଁ ନାବାଳିକା ଜଣକ କୋର୍ଟକୁ ଯାଇଥିଲେ। ପରେ ବାପା-ମାଙ୍କ ସହିତ ଘରକୁ ଆସିବାକୁ ରାଜି ନ ହୋଇ ରାସ୍ତାରେ ଚିତ୍କାର କରିଥିଲେ। ଏହି ଘଟଣାକୁ ନେଇ କୋର୍ଟ ସାମ୍ନାରେ କିଛି ସମୟ ଭିଡ ଦେଖିବାକୁ ମିଳିଥିଲା।