‘ଛାଡ଼ପତ୍ର ଦିନ ପାଳିବି ଜନ୍ମଦିନ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଆଜି ଅର୍ଥାତ୍‌ ଡିସେମ୍ବର ୨୪ ଶନିବାର ଓଲିଉଡ୍‌ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ନିଜେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନୁଭବ ତାଙ୍କ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ମୋତେ ପ୍ରତିବର୍ଷ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସୁଛନ୍ତି। ଏ ବର୍ଷ ଆମେ ଆମ ବଡ଼ବାପାଙ୍କୁ ହରାଇଛୁ। ତେଣୁ ଜନ୍ମଦିନ ପାଳନ କରିବାକୁ ମୁଁ ନିଜେ ମନା କରିଛି। ହଁ ଆଉ ଗୋଟିଏ କଥା ସାଢ଼େ ୩ ବର୍ଷ ହେବ ମୋ’ ବ୍ୟକ୍ତିଗତ ଜୀବନରେ ଦେଖାଦେଇଥିବା ସମସ୍ୟା ପାଇଁ ମଧ୍ୟ ଏବର୍ଷ ଜନ୍ମଦିନ ପାଳିବି ନାହିଁ। ପ୍ରଶଂସକମାନଙ୍କୁ ସେ ଅନୁରୋଧ କରି କହିଛନ୍ତି, ଆପଣମାନେ ଯଦି ମୋ’ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି ତେବେ ନିଜ ନିଜ ଅଞ୍ଚଳରେ ଥିବା ଦୁଃଖିରଙ୍କି ଦେଖି ଦାନ କରନ୍ତୁ। ମୁଁ ଆପଣମାନଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହୁଛି, ସାଢ଼େ ତିନି ବର୍ଷ ହେବ ପ୍ରତିଦିନ ମୁଁ ମରିମରି ବଞ୍ଚୁଛି। ଯେଉଁଦିନ ମୋର ଛାଡ଼ପତ୍ର ହେବ, ସେହିଦିନ ମୁଁ ମୋର ଜନ୍ମଦିନ ପାଳନ କରିବି। ଅନୁଭବଙ୍କ ଏପରି କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।