
ଇସଲାମାବାଦ୍,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ ଏବଂ ମିସାଇଲ୍ ଭାରତ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଥିଲା। ଭାରତ ଦ୍ୱାରା ନିଆଯାଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବେ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ବୀକାର କରିଛନ୍ତି, ତାଙ୍କୁ ଭାରତୀୟ ବାୟୁସେନା ଦ୍ୱାରା ନୁର ଖାନ ଏୟାରବେସ ଏବଂ ଅନ୍ୟାନ୍ୟ ଘାଟିରେ କରାଯାଇଥିବା ବିମାନ ଆକ୍ରମଣ ବିଷୟରେ ଜେନେରାଲ ଅସୀମ ମୁନିର ରାତି ୨.୩୦ ରେ ଫୋନରେ ସୂଚନା ଦେଇଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି, ଭାରତ ପକ୍ଷରୁ ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ମେ ୯-୧୦ ରାତି ପ୍ରାୟ ୨:୩୦ ସମୟରେ ଜେନେରାଲ ସୟଦ ଅସୀମ ମୁନିର ମୋତେ ସୁରକ୍ଷିତ ରେଖାରେ ଫୋନ କରି ଜଣାଇଥିଲେ ଯେ, ଭାରତୀୟ ବାଲିଷ୍ଟିକ ମିଶାଇଲ୍ ନୁର ଖାନ ଏୟାରବେସ ଏବଂ ଅନ୍ୟ କିଛି ଅଞ୍ଚଳରେ ପଡ଼ିଛି। ଆମର ବାୟୁସେନା ଆମ ଦେଶକୁ ସୁରକ୍ଷା ଦେବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା ଏବଂ ସେମାନେ ଚାଇନା ଯୁଦ୍ଧ ବିମାନରେ ଆଧୁନିକ ଗ୍ୟାଜେଟ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହାର କରିଥିଲେ।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆହୁରି କହିଛନ୍ତି, ଆଜି ସବୁଠି ଆଲୋଚନା ହେଉଛି ଯେ ପାକିସ୍ତାନୀ ସେନା ଭାରତକୁ କିପରି ଜବାବ ଦେଇଥିଲା। ଆମର ସେନା ପଠାନକୋଟ, ଉଧମପୁର ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ଆକ୍ରମଣ କରିଥିଲା ଏବଂ ଶତ୍ରୁମାନେ ଲୁଚିବା ପାଇଁ ସ୍ଥାନ ପାଇ ନ ଥିଲେ।
ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ, ସକାଳେ ମୁଁ ସୁଇମିଂ କରିବାକୁ ଯାଇଥିଲି ଏବଂ ମୋର ସୁରକ୍ଷିତ ଫୋନ ସାଙ୍ଗରେ ନେଇଥିଲି। ଜେନେରାଲ ଅସୀମ ମୁନିର ମୋତେ ଫୋନ କରି କହିଥିଲେ ଯେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛୁ ଏବଂ ଏବେ ସେମାନେ ଅସ୍ତ୍ରବିରତି କରିବାକୁ ଚାହୁଁଛନ୍ତି, ଏହା ବିଷୟରେ ଆପଣଙ୍କର କ’ଣ ମତ? ମୁଁ କହିଲି – ଏହାଠାରୁ ବଡ଼ କଥା କ’ଣ ହୋଇପାରେ। ଶତ୍ରୁକୁ ଏକ କଡ଼ା ଚାପୁଡ଼ା ଦିଆହୋଇଛି। ତେଣୁ ଏବେ ସେମାନେ ଅସ୍ତ୍ରବିରତି କରିବାକୁ ବାଧ୍ୟ ହୋଇଛି। ମୁଁ ଭାବୁଛି ଆପଣ ବିଳମ୍ବ ନକରି ଅସ୍ତ୍ରବିରତି ପ୍ରସ୍ତାବ ଗ୍ରହଣ କରିବା ଉଚିତ।