Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି: ତହସିଲଦାର ପଲ୍ଲବୀ ନାୟକ

କେନ୍ଦୁଝର ଜିଲାର ବୃନ୍ଦାବନପୁର ହେଉଛି ମୋର ପ୍ରକୃତ ଗାଁ। ହେଲେ ମୋ ମା’ ଯେହେତୁ କେନ୍ଦୁଝର ଜିଲାର ବାସୁଦେବପୁରରେ ରହି ଶିକ୍ଷକତା କରୁଥିଲେ, ତେଣୁ ମୋର ଜନ୍ମ ସେହିଠାରେ ହିଁ ହୋଇଥିଲା। ପାଠପଢ଼ା ଆରମ୍ଭ ହେଲା ବେଳକୁ ମା’ଙ୍କର ଜୁନାଗଡ଼ ବଦଳି ହୋଇଗଲା। ତେଣୁ ପ୍ରଥମରୁ ତୃତୀୟ ମୁଁ ଜୁନାଗଡ଼ରେ ପଢ଼ିଲି। ତା’ପରେ ମା’ଙ୍କର ପୁଣି କେନ୍ଦୁଝର ବଦଳି ହେବାରୁ ଚତୁର୍ଥ, ପଞ୍ଚମ ସେଠି ପଢ଼ିଲି। ଏହାପରେ ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେନ୍ଦୁଝରର ହଦଗଡ଼ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଯୁକ୍ତଦୁଇ ଯାଏ ପଢ଼ିଥିଲି। ତା’ପରେ କେନ୍ଦୁଝରସ୍ଥିତ ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରି ବିଏଡ୍‌ କଲି। ବିଏଡ୍‌ ସରିବା ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ଥିଲା ସେହି କେନ୍ଦୁଝରରେ। ଶାଶୁଘର ଲୋକେ ଏବଂ ମୋ ସ୍ବାମୀଙ୍କ ସହଯୋଗରେ ପୁଣି ପାଠପଢ଼ା ଆରମ୍ଭ କରି ଏମ୍‌ଏଡ୍‌ ପାସ୍‌ କଲି। ତା’ପରେ ମୋତେ ବାସୁଦେବପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି ମିଳିଗଲା। ଏହା ଥିଲା ୨୦୦୭ ମସିହାର କଥା। ପ୍ରଥମ ମାସ ଯେଉଁ ଦରମା ପାଇଲି ସବୁଯାକ ଟଙ୍କା ନେଇ ମୋ ମା’ବାପାଙ୍କୁ ଦେଇଥିଲି। କାରଣ ସେମାନେ ହିଁ ମୋତେ ପିଲାଟି ଦିନରୁ ପାଠ ପଢ଼ାଇ, ଗାଇଡ୍‌ କରି ଯୋଗ୍ୟା କରାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଏଥିରେ ମୋ ସ୍ବାମୀ ଓ ଶାଶୁଘର ଲୋକଙ୍କର ବି ପୂର୍ଣ୍ଣ ସହମତି ଥିଲା, ସେଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା। ତେବେ ଶିକ୍ଷୟିତ୍ରୀ ଭାବେ ଚାକିରିରେ ଜଏନ୍‌ କରିବା ପୂର୍ବରୁ ୨୦୦୬ରେ ଓଏଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଥିଲା ଆଉ ମୁଁ ସେଥିରେ ଆବେଦନ ବି କରିଥିଲି; ଯାହାର ଫଳାଫଳ ୨୦୧୦ରେ ଆସିଲା। ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜାଣି ଘରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ। ମୁଁ ବି ଖୁବ୍‌ ଖୁସି ଥିଲି। ତା’ପରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଟ୍ରେନିଂ ପାଇଁ ଚାଲିଗଲି। ପାଖାପାଖି ବର୍ଷେ ଟ୍ରେନିଂ ନେବା ପରେ ୨୦୧୧ ଅକ୍ଟୋବରରେ ଡେପୁଟି କଲେକ୍ଟର ଭାବେ ବାରିପଦାରେ ଜଏନ୍‌ କଲି। ୨୦୧୬ ଯାଏ ସେଠି ରହିଲି। ତା’ପରେ ତହସିଲଦାର ଭାବେ ମୟୂରଭଞ୍ଜ ଜିଲାର କୁସୁମି ବାଦାମପାହାଡ଼କୁ ମୋର ବଦଳି ହେଲା। ୨୦୧୮ରେ ପୁଣି ମୋର ବଦଳି ହେଲା ଦେବଗଡ଼କୁ; ଯେଉଁଠାରେ ଏବେ ବି ମୁଁ ତହସିଲଦାର ପୋଷ୍ଟରେ ଅବସ୍ଥାପିତ। ଚାକିରିର ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି କିଛି କିଛି ଲେଖାଲେଖି ବି ମୁଁ କରେ। ବିଶେଷକରି ଗପ, କବିତା ଲେଖିବାରେ ଥାଏ ମୋର ରୁଚି। ୟା’ଭିତରେ ୪ଟି ଗଳ୍ପ ଓ ୧ଟି କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି; ଯାହାର ନଁା ହେଲା: ଭିଜା ଭିଜା ଋତୁ (ଗଳ୍ପ), ପ୍ରେମିକାପଣ (କବିତା), ଶବ୍ଦ ହଜିଗଲା ପରେ (ଗଳ୍ପ), ଢେଉ (ଗଳ୍ପ) ଏବଂ ଛବି; ଚୂନା ଚୂନା ଚିତ୍ର ଜୀବନର (କ୍ଷୁଦ୍ର ଗଳ୍ପ ସଂକଳନ)। ତା’ଛଡ଼ା ଆଗକୁ ଖୁବ୍‌ ଶୀଘ୍ର ‘ପଲ୍ଲବୀ ନାୟକଙ୍କ ଯେତେ ସବୁ ଅକବିତା’ ନାମରେ ଏକ କବିତା ସଂକଳନ ଏବଂ ‘ଋତୁର ନଁା ବସନ୍ତ’ ନାମରେ ଏକ ଉପନ୍ୟାସ ବି ମୋର ପ୍ରକାଶିତ ହେବାକୁ ଯାଉଛି। ତେଣୁ ମୁଁ ଏତିକି କହିବାକୁ ଚାହେଁ ଯେ, ଚାକିରି ହେଉ ଅବା ଲେଖାଲେଖି, ଏସବୁ ମୁଁ ଯାହାବି କରୁଛି ତା’ ପଛରେ ଭଗବାନଙ୍କ ଆଶୀର୍ବାଦ ଓ ମୋ ପରିବାର ଲୋକଙ୍କର ସହଯୋଗ ଓ ପ୍ରେରଣାକୁ ହିଁ ମୁଁ ଶ୍ରେୟ ଦେବି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri