ନୂଆଦିଲ୍ଲୀ,୨୯ା୧୧: ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ସେ ରାତି ଅଧ ଯାଏ କୋର୍ଟରେ ବସିପାରିବେ। କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ ତିଲକ ସିଂ ଡାଙ୍ଗି ନାମକ ବ୍ୟକ୍ତି ଦାଏର କରିଥିବା ପିଟିଶନ୍କୁ ଖାରଜ କରିଦେବା ଅବସରରେ ସିଜେଆଇ ଏହା କହିଛନ୍ତି। ଖଣ୍ଡପୀଠରେ ତାଙ୍କ ସହ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଥିଲେ।
ସିଜେଆଇ କହିଛନ୍ତି, ତାଙ୍କ କୋର୍ଟରେ ବିଳାସପୂର୍ଣ୍ଣ ମୋକଦ୍ଦମାର ସ୍ଥାନ ନାହିଁ। ଶେଷ ଧାଡ଼ିରେ ଥିବା ସବୁଠୁ ଗରିବ ପକ୍ଷଙ୍କ ପାଇଁ ସେ ଏଠାରେ ବସିଛନ୍ତି ଓ ଆବଶ୍ୟକ ପଡ଼ିଲେ ସେମାନଙ୍କ ପାଇଁ ମଧ୍ୟରାତ୍ର ପର୍ଯ୍ୟନ୍ତ ବସିବେ।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୫୩ତମ ସିଜେଆଇ ଭାବେ ଶପଥ ନେଇଥିଲେ। ସେ ୨୦୨୭ ଫେବୃଆରୀ ୯ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।
Dharitri – Odisha’s No.1 Odia Daily


