Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଗହଣା, ଡ୍ରେସ୍‌ କିଣିଥିଲି: ରୂପଶ୍ରୀ ମହାପାତ୍ର

ପୁରୀ ଦୋଳମଣ୍ଡପ ସାହିରେ ମୋ ଘର। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଥିଲି। ପାଠପଢା ସହିତ ଓଡ଼ିଶୀ ନୃତ୍ୟ ବି ଶିଖୁଥିଲି। ମୋତେ ଯେତେବେଳେ ମାତ୍ର ୫ ବର୍ଷ ବୟସ ହୋଇଥିଲା, ସେବେଠାରୁ ମୁଁ ପୁରୀର ସଙ୍ଗୀତ କଳା ପ୍ରତିଷ୍ଠାନରୁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ପ୍ରମିଳା ପ୍ରଧାନ ଥିଲେ ମୋର ପ୍ରଥମ ଓଡ଼ିଶୀ ଗୁରୁ। ପରବର୍ତ୍ତୀ ସମୟରେ ମୁଁ ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିବାକୁ ଲାଗିଲି। ମୋର ମନେଅଛି, ମୋତେ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା, ସେତେବେଳେ ପୁରୀର ବି.ଏନ୍‌.ଆର୍‌ ହୋଟେଲ୍‌ ତରଫରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଁ କାଚ କଣ୍ଢେଇ ନୃତ୍ୟ ପରିବେଷଣ କରିବାକୁ ଯାଇଥାଏ। ସେଠାରେ ପ୍ରାୟ ଦୁଇଶହ, ତିନିଶହ ରସିଆନ୍‌ ପର୍ଯ୍ୟଟକ ବସି ମୋ ନୃତ୍ୟ ଦେଖୁଥାନ୍ତି। ସେମାନଙ୍କୁ ମୋ ନୃତ୍ୟ ପରିବେଷଣ ଏତେ ଭଲ ଲାଗିଥିଲା ଯେ, ଖୁସିରେ ସେମାନେ ମୋତେ ବହୁତ ଗିଫ୍ଟ ଦେଇଥିଲେ। ଆଉ ସେହି ସବୁ ଗିଫ୍ଟକୁ ମୋ ସାଙ୍ଗରେ ଯାଇଥିବା ମୋର ଦୁଇ ଭଉଣୀ ଜରି ଅଖାରେ ପୁରେଇକି ଆଣି ମୋତେ ଘରେ ସବୁ ଖୋଲିକି ଦେଖାଇଥିଲେ। ଏହି ଘଟଣାଟି ସେଦିନ ମୋତେ ଖୁବ୍‌ ପ୍ରେରଣା ଦେଇଥିଲା ଆଗକୁ ବଢିବାକୁ ଆଉ ଓଡ଼ିଶୀ ନୃତ୍ୟରେ କ୍ୟାରିୟର୍‌ କରିବାକୁ। ସେମିତି ଆଉ ଏକ ସ୍ମୃତିପୂର୍ଣ୍ଣ ଘଟଣା ଘଟିଥିଲା ମୁଁ ଅଷ୍ଟମରେ ପଢିଲାବେଳେ। ସ୍କୁଲ୍‌ ତରଫରୁ ଆୟୋଜିତ ହୋଇଥିବା ନୃତ୍ୟନାଟିକାରେ ଅତି ଚମତ୍କାର ଭାବେ ଅଭିନୟ କରିଥିବାରୁ ମୋତେ ସେଦିନ ସବୁ ସାର୍‌ ଓ ଗୁରୁମାମାନେ ୨୧ ଟଙ୍କା ଲେଖାଏଁ ପୁରସ୍କାର ଦେଇଥିଲେ, ଯାହାକୁ ମୁଁ ଆଜିଯାଏଁ ନିଜ ପାଖେ ସାଇତିକି ରଖିଛି। ସେହିପରି ସପ୍ତମ ଶ୍ରେଣୀରୁ ମୋତେ ଜୁନିୟର୍‌ ସ୍କଲାର୍‌ଶିପ୍‌ ମିଳିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। ସେ ବାବଦେ ମୋତେ ପ୍ରତିମାସ ଦୁଇ ହଜାର ଟଙ୍କା ମିଳୁଥିଲା। ସେ ଟଙ୍କାକୁ ମୁଁ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ଏକ ଆକାଉଣ୍ଟ ଖୋଲି ସେଥିରେ ଜମା କରି ଦେଉଥିଲି। ଏହି ସ୍କଲାର୍‌ଶିପ୍‌ ମୋତେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମିଳିଚାଲିଲା। ତା’ପରଠୁ ମୁଁ ସିନିୟର୍‌ ସ୍କଲାରଶିପ୍‌ ବାବଦେ ପ୍ରତିମାସ ୫ ହଜାର ଟଙ୍କା ପାଇଚାଲିଲି। ସେ ଟଙ୍କାକୁ ବି ମୁଁ ସଞ୍ଚୟ କରୁଥିଲି। ଏମିତି କିଛିଦିନ ଯିବାପରେ ସେ ଟଙ୍କାକୁ କାଢି ମୋ ପାଇଁ ଓଡିଶୀ ନୃତ୍ୟର କିଛି ଗହଣା, ଡ୍ରେସ୍‌ ତଥା ମେକ୍‌ଅପ୍‌ ସାମଗ୍ରୀ ଆଦି କିଣିଥିଲି। ତେବେ ସଙ୍ଗୀତ କଳା ପ୍ରତିଷ୍ଠାନରୁ ଓଡ଼ିଶୀ ନୃତ୍ୟରେ ବିଶାରଦ କରିବା ପରେ ସେହି ପୁରୀରେ ଥିବା ଉଦୟନ ସାଂସ୍କୃତିକ ଏକାଡେମୀରେ ମୁଁ ଓଡ଼ିଶୀ ନୃତ୍ୟରେ ଏମ୍‌.ଏ କଲି ଆଉ ଗୋଲ୍ଡ ମେଡାଲ୍‌ ପାଇଲି। ସେତେବେଳେ ଏହି ଏକାଡେମୀଟି ବମ୍ବେସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ଅଧିନରେ ଥିଲା। ତେବେ କେବଳ ଓଡ଼ିଶୀ ନୁହେଁ ଧୀରେ ଧୀରେ ମୁଁ ମାହାରୀ ନୃତ୍ୟ ପ୍ରତି ବି ଆକର୍ଷିତ ହେଲି। ଆଉ ସେହି ନୃତ୍ୟକୁ ଶିଖିବା ପାଇଁ ଏବଂ ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ମୁଁ କ୍ରମେ ହରପ୍ରିୟା ଦେବଦାସୀ, କୋକିଳପ୍ରଭା ଦେବଦାସୀ, ପରଶମଣୀ ଦେବଦାସୀ ଏବଂ ଶଶୀମଣୀ ଦେବଦାସୀଙ୍କ ମିଶିବାକୁ ଲାଗିଲି। କହିବାକୁ ଗଲେ ଶଶୀମଣୀ ଦେବଦାସୀଙ୍କର ମୁଁ ଯେମିତି ଥିଲି ପାଳିତା ଝିଅ। ତେବେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ତଥା ଜଗନ୍ନାଥଙ୍କର ପ୍ରିୟ ଏହି ମାହାରୀ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟକୁ ଦେଶ, ବିଦେଶରେ ପ୍ରଚାର କରିବାର ଭାର ନିଜ ହାତକୁ ନେଇ ରୂପଶ୍ରୀ କଳାମନ୍ଦିର ନାମରେ ଏକ ନୃତ୍ୟାନୁଷ୍ଠାନ ପୁରୀ ହେରାଗୌରୀ ସାହିରେ ଖୋଲିଲି। କିଛିଦିନ ପରେ ଭୂବନେଶ୍ୱରର ସାଆନ୍ତରାପୁରରେ ବି ଏହାର ଏକ ଶାଖା ଅନୁଷ୍ଠାନ ଖୋଲି ସେଠାରେ ପିଲାମାନଙ୍କୁ ନୃତ୍ୟଶିକ୍ଷା ଦେବାକୁ ଲାଗିଲି। କେବଳ ସେତିକି ନୁହେଁ, କେରଳର ଗୁରୁବାହୀ ମନ୍ଦିର ଏବଂ କଲିକତାକୁ ମଧ୍ୟ ଯାଇ ସେଠାରେ ପିଲାମାନଙ୍କୁ ନୃତ୍ୟଶିକ୍ଷା ଦେଉଛି। ଏଥିସହିତ ମୁଁ ବର୍ତ୍ତମାନ ବମ୍ବେସ୍ଥିତ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟର ଅଧ୍ୟାପିକା ଭାବେ କାର୍ଯ୍ୟରତ। ତେବେ ଓଡ଼ିଶୀ ନୃତ୍ୟ ସହିତ ଜଗନ୍ନାଥ ସଂସ୍କୃତିର ଲୁକ୍କାୟିତ ପରମ୍ପରା ମାହାରୀ ନୃତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ମୋର ଉଲ୍ଲେଖନୀୟ ଅବଦାନକୁ ଦେଖି ୧୯୯୬ ମସିହାରେ ମୋର ଗୁରୁ ପଙ୍କଜ ଚରଣ ଦାସ ମୋତେ ରବୀନ୍ଦ୍ର ମଣ୍ଡପରେ ପ୍ରଥମ ମାହାରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହାକି ମୋ ପାଇଁ ଥିଲା ସବୁଠୁ ମୂଲ୍ୟବାନ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri