ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ ରେଢ଼ାଖୋଲ ବିଧାନସଭା ଆସନରୁ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିବା ବେଳେ ଇଂ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନ ପାଇଁ ଛିଡା କରାଯାଇଛି। ରେଢ଼ାଖୋଲ ପରିବର୍ତ୍ତେ ସମ୍ବଲପୁର ବିଧାନସଭା ଆସନରୁ ଇଂ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ପ୍ରତିକ୍ରିୟା ଦେଇ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସୈନିକ ବୋଲି କହିଛନ୍ତି।
ତେବେ ସମ୍ବଲପୁରରୁ ଦଳୀୟ ଟିକଟ ପାଇବା ପରେ ପ୍ରତିକ୍ରିୟା ରଖି ରୋହିତ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୈନିକ । ମୋତେ ମୁଖ୍ୟମନ୍ତ୍ରୀ ଜୀବନରେ ବହୁତ କିଛି ଦେଇଛନ୍ତି। ଯେତେବେଳେ ମୋତେ ଯେଉଁ କାର୍ଯ୍ୟ ଦେଇଛନ୍ତି, ତାହା ମୁଁ କରି ଆସିଛି । ବିଗତ ଦିନରେ ମୋତେ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଥିଲେ। ମୋତେ ୨ ଥର ବିଧାନସଭା ଆସନରୁ ଲଢ଼ିବା ପାଇଁ ସୁଯୋଗ ଦେବା ସହିତ ଏଥର ମଧ୍ୟ ଟିକଟ ଦେଇଛନ୍ତି। ହେଲେ ଏବେ ମୁଖ୍ୟମନ୍ତ୍ରୀ ମୋତେ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିବାକୁ ନିର୍ଦ୍ଦେଶ ଦେଇଥିବାରୁ ମୁଁ ଏଠାରୁ ଲଢ଼ିିବି। ମୁଖ୍ୟମନ୍ତ୍ରୀ ସମ୍ମାନକୁ ବଞ୍ଚାଇ ଅଧିକରୁ ଅଧିକ ଭୋଟରେ ବିଜୟୀ ହେବା ସହିତ ଲୋକ ସଭା ପ୍ରାର୍ଥୀଙ୍କୁ ମଧ୍ୟ ବିଜୟୀ କରାଇବୁ । ମୁଁ ୨ ଥର ରେଢ଼ାଖୋଲର ବିଧାୟକ ଥିବାରୁ ରେଢ଼ାଖାଲ ସହିତ ସମ୍ବଲପୁରର ସେବା କରିବି । ସମ୍ବଲପୁର ଜିଲା ମୋର ଜନ୍ମମାଟି ହୋଇଥିବାରୁ ସମଗ୍ର ଜିଲାର ସେବା ମଧ୍ୟ କରିବି ।
ମୋତେ ଯେତେଥର ଦଳ ଦାୟିତ୍ୱ ଦେଇଛି, ମୁଁ ସବୁ ସମୟରେ ସମର୍ପିତ ହୋଇ କାର୍ଯ୍ୟ କରି ଆସିଛି, ଆଗକୁ କରିବି । ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିଲେ ଅପେକ୍ଷାକୃତ ମୋତେ ସହଜ ହୋଇଥାନ୍ତା, କାରଣ ମୁଁ ସେଠାରେ ବିଗତ ୧୫ ବର୍ଷ ଧରି କାର୍ଯ୍ୟ କରି ଆସୁଛି । କିନ୍ତୁ ମୁଁ ସମ୍ବଲପୁର ଜିଲାରେ ଦଳର ସଭାପତି ହେବା ସହିତ ଏହା ମୋ ପାଇଁ ନୂଆ ନୁହେଁ । ମୋର ବିଶ୍ୱାସ ରହିଛି ଯେ, ଆଗାମୀ ନିର୍ବାଚନରେ ଲୋକେ ମୋର ଆସ୍ଥା ପ୍ରକଟ କରି ଆଶୀର୍ବାଦ ଦେବେ ବୋଲି ମୋର ଆଶା ରହିଛି । ଦଳର ସ୍ବାର୍ଥରେ ମୁଖ୍ୟମନ୍ତ୍ରୀ ମୋତେ ଯେଉଁଠି ବ୍ୟବହାର କରିବେ ମୁଁ ସେଠାରେ ସୈନିକ ଭାବରେ ଲଢ଼ିବି ବୋଲି ସେ କହିଛନ୍ତି।