Categories: ଖେଳ

‘ଦିନିକିଆ ସିରିଜ୍‌ରେ ଖେଳିବି’

ମୁମ୍ବାଇ,୧୫।୧୨: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବା ନେଇ  ବୁଧବାର ସ୍ପଷ୍ଟ କରିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। ଏଥିସହ ଦିନିକିଆ ସିରିଜ୍‌ ବେଳେ ସେ ବିଶ୍ରାମ ନେବେ ବୋଲି ଯେଉଁ ଅନିଶ୍ଚିତତା ଜାରି ରହିଥିଲା ତାହା ଶେଷ ହୋଇଛି।

“ଚୟନ ପାଇଁ ମୁଁ ଉପଲବ୍ଧ ଥିଲି ଓ ଅଛି। ବିଶ୍ରାମ ପାଇଁ ବିସିସିଆଇକୁ କୋଣସି ଯୋଗାଯୋଗ କରି ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଉପଲବ୍ଧ ଅଛି ଓ ସର୍ବଦା ରହିବି। ଯେଉଁମାନେ ବିଶ୍ରାମ ସମ୍ପର୍କରେ ମିଛ ଲେଖିଛନ୍ତି ସେମାନଙ୍କୁ ପଚରାଯିବା ଉଚିତ ହେବ। ବିଶ୍ରାମ ସମ୍ପର୍କରେ ମୋର ବିସିସିଆଇ ସହ କୌଣସି ଆଲୋଚନା ହୋଇନାହିଁ” ବୋଲି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି।

ଗତ ଦୁଇ ଦିନ ହେଲା କୋହଲି ଓ ଟେଷ୍ଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଠିକ୍‌ ନ ଥିବା ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଉଥିଲା। ଆହତ ସମସ୍ୟା ଯୋଗୁ ରୋହିତ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଦିନିକିଆ ସିରିଜ୍‌ ବେଳେ କୋହଲି ବିଶ୍ରାମ ନେବେ ବୋଲି କିଛି ମିଡିଆ ରିପୋର୍ଟରେ ଦର୍ଶାଯାଇଥିଲା।

Share