Categories: ଗଞ୍ଜାମ

ହାଇଜେନିକ୍‌ ମାଛ ବଜାରରେ ରହୁନି ସ୍ବଚ୍ଛତା

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ସହରବାସୀଙ୍କୁ ସ୍ବଚ୍ଛତା ବାତାବରଣ ମଧ୍ୟରେ ଆମିଷ ଦ୍ରବ୍ୟ ଯୋଗାଇବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପରିସରରେ ହାଇଜେନିକ୍‌ ମାଛ ବଜାର ନିର୍ମାଣ କରାଯାଇଛି। ଯେଉଁଠାରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ପାନୀୟ ଜଳଠାରୁ ଆରମ୍ଭ କରି ଗୃହ ଯୋଗାଇ ଦିଆଯାଇଛି। କିନ୍ତୁ ଏହି ହାଇଜେନିକ୍‌ ବଜାରରେ ପରିଷ୍କାର ପରିଚ୍ଛନ୍ନତା ରହୁ ନ ଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ମାଛ ବଜାର ପାଇଁ ୨୦୧୯ରେ ମହାନଗର ନିଗମର ବାର୍ଷିକ ବଜେଟରେ ଅର୍ଥ ମଞ୍ଜୁର ହୋଇଥିଲା। ଉକ୍ତ ବର୍ଷ ସ୍ବାୟତ୍ତ ଶାସନ ଦିବସରେ ୨ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ନିର୍ମାଣ ପାଇଁ ଭୂମିପୂଜା ହୋଇଥିଲା। ଏହାର କାର୍ଯ୍ୟ ଆରମ୍ଭ ହେବା ସତ୍ତ୍ୱେ କରୋନା ମହାମାରୀ କାରଣରୁ କାର୍ଯ୍ୟ ବନ୍ଦ ରହିଥିଲା। ଫଳରେ ବିଳମ୍ବରେ କାର୍ଯ୍ୟ ଶେଷ ହେବା ପରେ ୨୦୨୧ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲରେ ଉଦ୍‌ଘାଟିତ ହୋଇଥିଲା। ଚଳିତବର୍ଷ ଜାନୁୟାରୀ ୭ରେ ଲୋକାର୍ପିତ ହୋଇଥିଲା। ଏହାପରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ବାହାରେ ଓ କମାପଲୀ ଓଭର ବ୍ରିଜ ପାର୍ଶ୍ୱରେ ବସୁଥିବା ମାଛ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା। ପରେ ବିଏମ୍‌ସି ପକ୍ଷରୁ ଲଟେରି ମାଧ୍ୟମରେ ବ୍ୟବସାୟ ନିମନ୍ତେ ଗୃହ ଯୋଗାଇ ଦିଆଯାଇଥିଲା। କିନ୍ତୁ ବଜାର ମଧ୍ୟରେ ବହୁ ବ୍ୟବସାୟୀଙ୍କୁ ଗୃହ ମିଳି ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ବି ମାଛ ବଜାରରେ ବ୍ୟବସାୟ ଆରମ୍ଭ ହୋଇଥିଲା। କିନ୍ତୁ ହାଇଜେନିକ୍‌ ମାଛ ବଜାରରେ ଗ୍ରାହକଙ୍କୁ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ବଜାରରେ ମାଛ ବ୍ୟବସାୟୀଙ୍କ ନିମନ୍ତେ ପାଣି ସମସ୍ୟା ରହୁଥିବା ବେଳେ ବିଏମ୍‌ସି ପକ୍ଷରୁ ସ୍ବଚ୍ଛତା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକମାନେ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଆମିଷ ଦ୍ରବ୍ୟ କ୍ରୟ କରୁଛନ୍ତି। ମାଛ ବଜାର ପରିସର ମଧ୍ୟରେ ବିଏମ୍‌ସି ପକ୍ଷରୁ କୌଣସି ସଫେଇ କିମ୍ବା ସ୍ବଚ୍ଛତା ରଖାଯାଉ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
କାତି ଓ ଅନ୍ୟାନ୍ୟ ଜିନିଷଗୁଡିକ ଏଣେତେଣେ ହୋଇ ପଡ଼ିରହିଛି। ଫଳରେ ବର୍ଷା ସମୟରେ ବହୁ ଆବର୍ଜନା ଯାତାୟାତ ରାସ୍ତାରେ ଭାସମାନ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ବହୁ ଗ୍ରାହକ ବଜାରକୁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନ୍ୟପଟେ ବଜାରରେ ବାହାରେ ବିକ୍ରି ପାଇଁ ବିଏମ୍‌ସି ପକ୍ଷରୁ ମନା କରାଯାଇଥିବା ବେଳେ ବହୁ ବ୍ୟବସାୟୀ ବାହାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ଏଥିସହ କୋଠାଟିରେ ମାଛ ରଖିବା ନିମନ୍ତେ ଗୃହକାର୍ଯ୍ୟ ଦୀର୍ଘ ଦିନରୁ ଜାରି ରହିଛି। ଏହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ସେମାନଙ୍କର ଗଚ୍ଛିତ ଆମିଷ ଦ୍ରବ୍ୟକୁ ପିଣ୍ଡି ଉପରେ ହିଁ ରଖୁଥିବା କହିଛନ୍ତି। ଉକ୍ତ ଗୃହକାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ବ୍ୟବହାର ନିମନ୍ତେ ପ୍ରଦାନ କରିବା ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି।
ଏ ନେଇ କନିଷ୍ଠ ଯନ୍ତ୍ରୀ ସୂଚୀସ୍ମିତା ପୁହାଣଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ମାଛ ବଜାରକୁ କର୍ମଚାରୀଙ୍କ ଦ୍ୱାରା ସଫେଇ କରାଯାଉଛି। ଏଠାରେ ନିର୍ମାଣାଧୀନ ଶୀତଳ ଭଣ୍ଡାର କାର୍ଯ୍ୟ ଶେଷ ହେବା ପରେ ଖୁବ ଶୀଘ୍ର ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯିବ।