Categories: ଖେଳ

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୨ ଉଇକେଟ ହାସଲ କରି ନେଇଥିଲା। ଏହି ବିଜୟ ସହ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ଚଳିତ ଆଇପିଏଲ ସିଜନରେ ହାଇଦ୍ରାବାଦ୍‌ର ପରାଜୟ ଧାରା ଜାରି ରହିଛି।

ବ୍ୟାଟିଂ ବିଫଳତା କାରଣରୁ ହାଇଦ୍ରାବାଦ୍‌ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୩୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଡେଭିଡ୍‌ ଓ୍ବାର୍ନର ଖାତା ଖୋଲି ପାରି ନ ଥିବାବେଳେ ଅଧିନାୟକ କେନ ଓ୍ବିଲିୟମସନ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ଅବଦୁଲ ସମଦ (୨୮) ଓ ରଶିଦ ଖାନ (୨୨)ଙ୍କ ଯୋଗୁ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା ହାଇଦ୍ରାବାଦ୍‌। ଦିଲ୍ଲୀ ପାଇଁ କାଗିସୋ ରବାଡା ୩ ଉଇକେଟ ନେଇଥିବାବେଳେ ଅକ୍ଷର ପଟେଲ ଓ ଅନରିଚ ନର୍ଟଜେ ୨ ଲେଖାଏ ସଫଳତା ପାଇଥିଲେ।

ଜବାବରେ ଶିଖର ଧାଓ୍ବନ (୪୨), ଶ୍ରେୟାସ ଆୟାର (୪୭*) ଓ ଅଧିନାୟକ ପନ୍ତ (୩୫)ଙ୍କ ଇନିଂସ ସହାୟତାରେ ଦିଲ୍ଲୀ ୧୩ ବଲ ପୂର୍ବରୁ ୮ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା।

Share