ହାଇଦରଙ୍କୁ ଦିଆଗଲା କବର

କେନ୍ଦ୍ରାପଡ଼ା ଅଫିସ, ୨୫ା୭: ପୋଲିସ ଏନ୍‌କାଉଣ୍ଟରରେ ଶନିବାର ମୃତ୍ୟୁ ଘଟିଥିବା ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦରଙ୍କୁ କେନ୍ଦ୍ରାପଡ଼ା ସହରର ରଣପଡ଼ା କବରସ୍ଥାନରେ ରବିବାର ରାତିରେ କବର ଦିଆଯାଇଛି। ପୋଲିସ ବଳୟ ମଧ୍ୟରେ କୋଭିଡ୍‌ ଏସ୍‌ଓପି ପାଳନ ପୂର୍ବକ ଇସଲାମ ପରମ୍ପରା ଅନୁଯାୟୀ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ହେଲେ ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ନ ଉପୁଜେ ସେଥିପାଇଁ ଜିଲା ପ୍ରଶାସନ ସଜାଗ ରହିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ସହର ଓ ନିକଟସ୍ଥ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧର ପଞ୍ଚାୟତରେ ଗତ ୨୪ ତାରିଖ ରାତି ୧୧ରୁ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସିଆର୍‌ପିସିର ଧାରା ୧୪୪ ଲାଗୁ ହୋଇଛି। ୨୫ ତାରିଖ ସୋମବାରଠାରୁ ସ୍କୁଲ ଓ କଲେଜ ଖୋଲା ହେବାକୁ ଥିଲେ ମଧ୍ୟ ୧୪୪ ଧାରା ଲାଗୁ ହେବା ଯୋଗୁ ତାହା ବନ୍ଦ ରହିବ। ଆଇଜି ନରସିଂହ ଭୋଳ ଓ ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କ ନେତୃତ୍ୱରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ବିଶେଷକରି ହାଇଦରଙ୍କ ରଣପଡ଼ାସ୍ଥିତ ବାସଭବନ ଓ କବରସ୍ଥାନ ନିକଟସ୍ଥ ଗରାପୁର କୋର୍ଟ ଛକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତାକୁ ସିଲ୍‌ କରାଯାଇଛି।