ଗଛମୂଳେ ଥିବା ସ୍ତ୍ରୀଙ୍କୁ ଘରକୁ ନେଲେ ସ୍ବାମୀ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତର ଡିମିରିଆ ଗ୍ରାମରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିଥିବାରୁ ଭୂୟାଁ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଘରୁ ବାହାର କରିଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି କି ମହିଳା ଜଣକ ୩ ଦିନ ଧରି ବାହାରେ ଗଛମୂଳେ ଏକମାସର ଶିଶୁପୁତ୍ରକୁ ଧରି ଆଶ୍ରୟ ନେବା ଏବଂ ସ୍ଥାନୀୟ ପ୍ରଶାସନ ଏହାକୁ ହାଲୁକା ଭାବେ ନେଇଥିବାରୁ ଭୂୟାଁ ମହାସମାଜ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି।

ରବିବାର ମହାସଭାର ସଦସ୍ୟମାନେ ଗାଁକୁ ଯାଇ ସ୍ବାମୀ ରବି ଦେହୁରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଛନ୍ତି। ଭୂୟାଁ ସମାଜରେ ସେଭଳି କୌଣସି ପରମ୍ପରା ନାହିଁ ଯେ ଅସ୍ତ୍ରୋପଚାର ହେଲେ ଜଣେ ମହିଳା ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିପାରିବନାହିଁ କିମ୍ବା ପୂଜାପାଠରୁ ବଞ୍ଚିତ ହେବ ସେନେଇ ସଦସ୍ୟମାନେ ରବିଙ୍କୁ ସଚେତନ କରିବା ପରେ ସେ କାନ୍ଦିପକାଇ ଭୁଲ୍‌ ବୁଝିଥିଲେ। ପରେ ସ୍ତ୍ରୀଙ୍କୁ ସ୍ବୀକାର କରିବାକୁ ରାଜି ହୋଇଥିଲେ ବୋଲି ମହାସଭାର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଗିରି କହିଛନ୍ତି।

ସେହିପରି ଗୋପବନ୍ଧୁ ସେବାକେନ୍ଦ୍ରର ମଧ୍ୟସ୍ଥତା ପରେ ସନ୍ଧ୍ୟାରେ ଜାନକୀ ମାସକର ଶିଶୁପୁତ୍ରକୁ ଧରି ଘରେ ପହଞ୍ଚିଥିଲେ ବୋଲି ସେବାକେନ୍ଦ୍ର ସଂଯୋଜକ ରାଜଶ୍ରୀ ଉପାଧ୍ୟାୟ କହିଛନ୍ତି। ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଭାବେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ରୂପଶ୍ରୀ ଗନ୍ତାୟତ ଏବଂ ବୈଶାଳୀ ପ୍ରିୟଦର୍ଶିନୀ ମଧ୍ୟ ଉପସ୍ଥିତ ଥିଲେ। ଏନେଇ ତେଲକୋଇ ବିଡିଓ ଶାନ୍ତନୁ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସମସ୍ୟାର ସମାଧାନ ହୋଇଯାଇଥିବା ଫୋନ୍‌ରେ ମେସେଜ୍‌ କରି ଜଣାଇଛନ୍ତି।