ପ୍ରେମ କରି ଧରିଥିଲେ ହାତ: ତଣ୍ଟି କାଟି ଜୀବନ ନେଲେ ସ୍ବାମୀ

ଖୋର୍ଦ୍ଧା ଅଫିସ,୧୦।୧୦: ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଗୁରୁଜଙ୍ଗରେ। ମୃତା ମହିଳା ହେଲେ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି(୩୭)। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ହତ୍ୟା ପରେ ସ୍ବାମୀ ଫେରାର ହୋଇଯାଇଛନ୍ତି। ପାରିବାରିକ ଅଶାନ୍ତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।
ଖବରପାଇ ସଦର ଏସ୍‌ଡିପିଓ ସୁଶିଲ କୁମାର ମିଶ୍ର, ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ୨୦୦୫ରେ ଗୁରୁଜଙ୍ଗ କାର୍ତ୍ତିକ ପ୍ରଧାନଙ୍କୁ ଇନ୍ଦିରା ପ୍ରେମ ବିବାହ କରିଥିଲେ। ତାଙ୍କ ୧୫ ବର୍ଷର ଏକ ପୁଅ ଅଛି। ଉଭୟଙ୍କ ମଧ୍ୟରେ ଗତ କିଛି ମାସ
ହେଲା ଅଶାନ୍ତି ଲାଗି ରହିଥିଲା। କାର୍ତ୍ତିକ ସପ୍ତାହ ହେଲା ଶ୍ବଶୁର ଘରେ ରହୁଥିଲେ। ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ କାର୍ତ୍ତିକ ଧାରୁଆ ଅସ୍ତ୍ରରେ ଇନ୍ଦିରାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ପରେ ନିଜ ଘରକୁ ଯାଇ ସାନ ଭାଇକୁ ବାଇକ ମାଗି ସେଠାରୁ ଚାଲିଯାଇଥିଲେ। ସାନ ଭାଇଙ୍କ ସନ୍ଦେହ ହେବାରୁ ସେ ବଡ଼ ଭାଇଙ୍କ ଶ୍ବଶୁର ଘରକୁ ଆସି ଭାଉଜଙ୍କ କ’ଣ ହୋଇଛି ବୋଲି ପଚାରିଥିଲେ। ଘର ଭିତରକୁ ପଶିି ଦେଖିବା ବେଳେ ଇନ୍ଦିରାଙ୍କ ତଣ୍ଟି କଟାଯାଇଛି, ବେଡସାରା ରକ୍ତ ଛିଟା ପଡିଛି। ଏ ନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ।
ଇନ୍ଦିରାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୋଲିସ ସୂଚନା ଦେଇଛି।