ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା ଲୋହାରକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏପରିକି ୫ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦ଟି ତଥ୍ୟ ପ୍ରମାଣ ଓ ୧୨ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅମିତ୍‌ ଓ ଆଶାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ୨୦୧୯ ଜୁଲାଇ ୧୮ରେ ଏହି ଦମ୍ପତି କଟକର ସତୀଚଉରା ଅଞ୍ଚଳରୁ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଅମିତ ଓ ଆଶା ତାଙ୍କୁ ଝାଡ଼ଖଣ୍ଡର ଟାଟାରେ ନେଇ ରଖିଥିଲେ। ବିକ୍ରି ଉଦ୍ଦେଶ୍ୟରେ ସେମାନେ ଏହି ନାବାଳିକାଙ୍କୁ ନେଇ ଯାଇଥିଲେ।ଏପରିକି ଆଶାଙ୍କ ସହଯୋଗରେ ଅମିତ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ।