ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି। ଗିରଫ ସ୍ତ୍ରୀ ହେଲେ ମାହେଶ୍ୱରୀ ବେହେରା, ପ୍ରେମିକ ଢେଙ୍କାନାଳ ଅଞ୍ଚଳର ଦିପକ ସାହୁ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌କୁ ପଠାଇଦିଆଯାଇଛି। ମୃତକଙ୍କ ଭାଇଙ୍କ ଏତଲା କ୍ରମେ ବୁଗୁଡ଼ା ପୋଲିସ ନଂ. ୩୧୮/୨୦ରେ ହତ୍ୟା ମାମଲା ରୁଜୁ କରି ମାହେଶ୍ୱରୀ ଓ ଦିପକଙ୍କୁ ଅଟକ ରଖିଥିଲା। ପ୍ରକାଶ ଯେ, ୧୦ ବର୍ଷ ତଳେ ସିଲୁ ମେହେରଙ୍କ ସହ ବୁଗୁଡ଼ାର ମାହେଶ୍ୱରୀଙ୍କ ବିବାହ ହୋଇଥିଲା। ୬ ମାସ ତଳେ ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବାରୁ ସିଲୁ ଫେରାର ହୋଇଯାଇଥିଲେ। ଏହି ସମୟରେ ମାହେଶ୍ୱରୀଙ୍କ ସହ ଦିପକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୪ ଦିନ ତଳେ ଦୁହେଁ ଢେଙ୍କାନାଳରୁ ବୁଗୁଡ଼ା ଚାଲି ଆସିଥିଲେ। ସୂଚନା ପାଇ ସିଲୁ ଗୁରୁବାର ରାତିରେ ବୁଗୁଡ଼ାରେ ପହଞ୍ଚତ୍ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଦେଖି ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଏବଂ ପ୍ରେମିକ ମିଶି ସିଲୁଙ୍କୁ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ସାହିବାସୀଙ୍କଠାରୁ ଖବର ପାଇ ଆଇଆଇସି ଚିତ୍ତରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲେ।