ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଘଟଣା ସମ୍ପର୍କରେ ଏଏସ୍‌ପି ଅଜୟ କୁମାର ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଠେଲକୋପଡ଼ାରେ ରହୁଥିବା ୪୦ ବର୍ଷୀୟା ହିନା ବେଗମଙ୍କୁ ତାଙ୍କ ସ୍ବାମୀ ତଥା କୁମ୍ଭାରପଡ଼ାର ସୟଦ ସମସାଦ ଅଲ୍ଲୀ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ଶନିବାର ରାତି ପ୍ରାୟ ୯ଟାରୁ ସାଢ଼େ ୧୦ଟା ମଧ୍ୟରେ ଉଭୟ ଚାଲିଚାଲି ଯାଉଥିବା ସମୟରେ ଅନ୍ୟ ପୁରୁଷ ସହିତ କଥାବାର୍ତ୍ତା ଓ ସମ୍ପର୍କକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ସାମସାଦ ଅଲ୍ଲୀ ଏକ ଧାରୁଆ ଛୁରିରେ ହିନା ବେଗମଙ୍କୁ ଆକ୍ରମଣ କରିବା ସହ ଲହୁଲୁହାଣ କରିଥିଲେ। ପରେ ଏକ ସିମେଣ୍ଟ ପେଭର ବ୍ଲକ ପଥରରେ ମୁଣ୍ଡକୁ ଛେଚିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଘଟଣାସ୍ଥଳରେ ଛାଡ଼ି ଘରକୁ ପଳାଇଥିଲେ ଏବଂ ପରେ ସ୍ବତନ୍ତ୍ର ସାକ୍ଷୀଙ୍କ ଆଗରେ ନିଜ ଦୋଷ ସ୍ବୀକାର କରିଥିଲେ। ଏହି ଘଟଣାରେ ଟାଉନ ଥାନା ପୋଲିସ କେସ୍‌ ନମ୍ବର ୨୮୧/୨୦୨୬ ରୁଜୁ କରିବା ସହ ବ୍ୟବହୃତ ଛୁରି ଓ ପେଭର ବ୍ଲକ ଜବତ କରିଛି। ଫରେନ୍‌ସିକ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ ତନଖି କରିବା ପରେ ଅଭିଯୁକ୍ତ ସାମସାଦ ଅଲ୍ଲୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ବୋଲି ପୋଲିସ ଅଧିକାରୀ ମିଶ୍ର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share