ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କ ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ପଡିଆ, ୧୯ା୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ଥାନା ପଡିଆ ପଞ୍ଚାୟତ କମାରଗୁଡା ନିକଟସ୍ଥ ନନ୍ଦାଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟା କରିଛନ୍ତି। ତାଙ୍କ ନାମ କାରାମ କାନା (୫୦)। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ସାବେରି ନଦୀ କୂଳରେ ତାଙ୍କ ମୁଣ୍ଡଟି ପୋଡି ଦେଇଥିବାବେଳେ ଗଣ୍ଡିଟି ପୋତି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇଦେଇଛି।
ଖବରରୁ ଜଣାପଡିଛି, ଶୁକ୍ରବାର ରାତିରେ କାରାମ ଓ ସ୍ତ୍ରୀ କାରାମ କାନି ଖାଇସାରି ଶୋଇଥିଲେ। ରାତିରେ କେତେକ ଦୁର୍ବୃତ୍ତ ଆସି କାରାମଙ୍କୁ ଘରୁ ଉଠାଇ ନେଇ ସ୍ତ୍ରୀ କାନିଙ୍କ ସମ୍ମୁଖରେ ତାଙ୍କୁ ହାଣି ଦେଇଥିଲେ। ଫଳରେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଭୟଭୀତ ହୋଇ କାନି ଦୌଡି ପଲାଇଥିଲେ। ଶନିବାର ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୬୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କାରାମଙ୍କ ମୁଣ୍ଡ ଗଣ୍ଡି ମଧ୍ୟରୁ ସାବେରି ନଦୀ କୂଳରେ ମୁଣ୍ଡଟି ପୋଡିଦେଇଥିବା ବେଳେ ଗଣ୍ଡିଟି ପୋତି ଦେଇଥିଲେ। ଶନିବାର ସାରେ ପୋଲିସ ମୁଣ୍ଡଗଣ୍ଡି ଜବତ କରିଛି। ଗୁଣିଗାରେଡିକୁ ନେଇ ଏପରି ଘଟଣା ଘଟିଥାଇପାରେ ବେଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି କହିଛନ୍ତି।