ସ୍ତ୍ରୀ, ଦେଢ଼ଶାଶୁଙ୍କୁ ହତ୍ୟା ଉଦ୍ୟମ କରି ସ୍ବାମୀ ଗଲେ ଜେଲ୍‌

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଆମ୍ବଗାଁର ଡମ୍ବରୁ ସାହୁ(୪୫)ଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌ ନଂ. ୩୭୦/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ରାତିରେ ଡମ୍ବରୁ ତାଙ୍କ ସ୍ତ୍ରୀ ଅହଲ୍ୟା ସାହୁ ଏବଂ ଜକର ପଞ୍ଚାୟତ ମାଣିକପୁର ଗାଁରେ ରହୁଥିବା ଦେଢ଼ଶାଶୁ କୁମାରୀ ସାହୁଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅହଲ୍ୟା ଆଜକୁ ପ୍ରାୟ ୧୪ ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କୁ ସଦା ସର୍ବଦା ମାରପିଟ କରି ନିର୍ଯାତନା ଦିଅନ୍ତି। ଡମ୍ବରୁ ଗୁଜରାଟର ସୁରଟରେ ଶ୍ରମିକ ଭାବେ କାମ କରନ୍ତି। ସେ ପ୍ରତି ମାସରେ ଘର ଖର୍ଚ୍ଚ ପାଇଁ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତାକୁ ଫୋନ୍‌- ପେ ମାଧ୍ୟମରେ ଟଙ୍କା ପଠାନ୍ତି। ଗତ କିଛିଦିନ ପୂର୍ବେ ଡମ୍ବରୁ ଗୁଜରାଟର ସୁରଟରୁ ଗାଁକୁ ଫେରିଥିଲେ। ସ୍ତ୍ରୀ ଅହଲ୍ୟାଙ୍କୁ ପ୍ରତି ମାସରେ ପଠାଇଥିବା ଟଙ୍କାର ହିସାବ ମାଗିବା ସହ ମାରପିଟ୍‌ କରିବାରୁ ସେ ମାଡ଼ ଓ ଗାଳି ସହି ନ ପାରି ତାଙ୍କ ବଡ଼ ଭଉଣୀ ରହୁଥିବା ମାଣିକପୁର ଗାଁକୁ ଚାଲିଯାଇଥିଲେ। ଡମ୍ବରୁ ସୋମବାର ମାଣିକପୁର ଗାଁର ଦେଢ଼ଶାଶୁ(ଅହଲ୍ୟାଙ୍କ ବଡ଼ ଭଉଣୀ) ଘରେ ପହଞ୍ଚି ସ୍ତ୍ରୀ ଅହଲ୍ୟାଙ୍କ ସହ ପୁଣି ଝଗଡ଼ା କରିଥିଲେ। ସେ ପ୍ରତିବାଦ କରିବାରୁ ଡମ୍ବରୁ ଏକ ବ୍ଲେଡ୍‌ରେ ତାଙ୍କ ବେକ ଓ ମୁହଁକୁ ବାରମ୍ବାର ଆଘାତ କରି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଅହଲ୍ୟାଙ୍କ ଭଉଣୀ ଛଡ଼ାଇବାରୁ ତାଙ୍କ ମୁହଁକୁ ମଧ୍ୟ ବ୍ଲେଡ୍‌ରେ କାଟି ଦେଇଥିଲେ। ଘଟଣାର ପରଦିନ ଏନେଇ ଅହଲ୍ୟା କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମରେ ସେ ବ୍ୟବହାର କରିଥିବା ବ୍ଲେଡ୍‌କୁ ଜବତ କରିଥିବା ଜଣାପଡ଼ଛି।

Dharitri – Odisha’s No.1 Odia Daily

Share