ସ୍ତ୍ରୀଙ୍କ ନାଁରେ ପୁଅ ବିକ୍ରି ଅଭିଯୋଗ ଆଣିଲେ ସ୍ବାମୀ

ଟିଟିଲାଗଡ଼, ୨୭ା୭ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ପଦ୍ମନାଭପୁରର ଜଣେ ମହିଳା ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁର ବାପା ଅକ୍ଷୟ ପଟେଲ ଗୁରୁବାର ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅକ୍ଷୟଙ୍କ ସ୍ତ୍ରୀ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାରେ ପୁଅକୁ ବିକ୍ରି କରି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଖବର ପାଇ ଟିଟିଲାଗଡ଼ ନାରୀଶକ୍ତି ସଭାନେତ୍ରୀ ଅଞ୍ଜଳି ବେହେରା, ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ ଥାନାରେ ପହଞ୍ଚି ଅଭିଯୋଗର ଉଚିତ ତଦନ୍ତ କରିବାକୁ ଦାବି କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଅକ୍ଷୟ ୪ ବର୍ଷ ତଳେ କଳାହାଣ୍ଡିର ମାନସୀ ବାଗଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା। କୌଣସି କାରଣରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ କଳହ ଲାଗିବାରୁ କିଛିଦିନ ଉଭୟେ ଅଲଗା ରହୁଥିଲେ। ତେବେ ପୁଅ ଅକ୍ଷୟଙ୍କ ପାଖରେ ରହୁଥିଲା l ଦୁଇଦିନ ତଳେ ମାନସୀ ତାଙ୍କ ଘରକୁ ଆସି ପୁଅକୁ ବୁଲାଇ ନେବାକୁ କହି ସାଙ୍ଗରେ ନେଇଯାଇଥିଲେ। ଏହାପରେ ସେ ପୁଅକୁ ଆଉ ଆଣି ତାଙ୍କ ପାଖରେ ଛାଡି ନ ଥିଲେ। ପଚାରିଲେ କୌଣସି ଉତ୍ତର ନ ଦେବାରୁ ଅକ୍ଷୟଙ୍କ ସନ୍ଦେହ ହୋଇଥିଲା। ଖୋଳତାଡ଼ ପରେ ମାନସୀ ପୁଅକୁ ଲାଞ୍ଜିଗଡ଼ ଅଞ୍ଚଳର କପିଳ ବାଗ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡିଥିଲା ବୋଲି ଅକ୍ଷୟ କହିଛନ୍ତି। ଅଭିଯୋଗ ଆଧାରରେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନ କହିଛନ୍ତି।