ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ରାହୁଲ ବାଗ୍ଙ୍କୁ ପୋଲିସ ଗିରଫ କରିଛି।
ସୂଚନାନୁସାରେ, ରାହୁଲ ଓ ସୌଦାମିନୀ ପ୍ରାୟ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିବା ଜଣାପଡ଼ିଛି। ଆଜି ସକାଳୁ କୌଣସି କଥାକୁ ନେଇ ବିବାଦ ହେବା ପରେ ରାହୁଲ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଖବର ପାଇ ଝାରସୁଗୁଡ଼ା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ରାହୁଲ ବାଗଙ୍କୁ କାବୁ କରିଥିଲା ପୋଲିସ। ସ୍ଥାନୀୟ ସୂତ୍ର ଅନୁସାରେ, ରାହୁଲ ଓ ସୌଦାମିନୀ ଅନ୍ୟ ଜାତିରେ ବିବାହ କରିଥିଲେ। ଘଟଣାର ପ୍ରକୃତ କାରଣ ଓ ହତ୍ୟାର ପରିସ୍ଥିତି ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଏଚ୍. କଣ୍ଟାପାଳି ଅଞ୍ଚଳରେ ଶୋକ ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ସହିତ ଅଧିକ ତଦନ୍ତ କରାଯାଉଛି ବୋଲି ସଦର ଆଇଆଇସି ଶୋଭାକର ସେଠ ପ୍ରକାଶ କରିଛନ୍ତି।