ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଶେଷରେ ସ୍ବାମୀ ଉତ୍ତ୍ୟକ୍ତ ହୋଇ କାଠଫାଳିଆରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଧୀନ ସତ୍ୟପାଳ ଗ୍ରାମରେ। ମୃତ ମହିଳା ହେଲେ ବିମ୍ବାଧର ପାତ୍ରଙ୍କ ସ୍ତ୍ରୀ ଦୁଃଖୀ। ଏନେଇ ପୋଲିସ ଏକ ମାମଲା(ନଂ.୫୩/୨୧) ରୁଜୁ କରି ସ୍ବାମୀ ବିମ୍ବାଧରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଆଇଆଇସି ସସ୍ମିତା ଖିଲାରଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ ଦୁଃଖୀ ଓ ବିମ୍ବାଧର ଖାଇସାରି ଶୋଇଥିଲେ। କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ବିମ୍ବାଧର କ୍ରୋଧ ନିୟନ୍ତ୍ରଣ କରି ନ ପାରି ଏକ କାଠଫାଳିଆରେ ସ୍ତ୍ରୀ ଦୁଃଖୀଙ୍କୁ ଆକ୍ରମଣ କରିଥିଲେ। ସକାଳୁ ସାହିପଡିଶା ଦୁଃଖୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।