କିଡ୍‌ନୀ ବିକ୍ରି ଘଟଣାରେ ସ୍ବାମୀ ଗିରଫ

ମାଲକାନଗିରି,୪।୯(ଡି.ଏନ.ଏ.): ସ୍ତ୍ରୀଙ୍କ ଅଜାଣତରେ ତାଙ୍କ ସ୍ବାମୀ ତାଙ୍କ କିଡ୍‌ନୀ ବିକିଦେବା ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ମାଲକାନଗିରି ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ପ୍ରଶାନ୍ତ କୁଣ୍ଡୁ। ଏହି ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ କରି ପ୍ରଶାନ୍ତ ସ୍ତ୍ରୀଙ୍କୁ ଛାଡି ବେଙ୍ଗାଲୁରୁରେ ରହୁଥିବା ଜାଣିବାକୁ ପାଇଥିଲା। ପରେ ମାଲକାନଗିରି ପୋଲିସର ଏକ ଟିମ୍‌ ବେଙ୍ଗାଲୁରୁ ଯାଇ ସେଠାରୁ ତାଙ୍କୁ ଗିରଫ କରି ଆଣିଥିଲା। ୧୨ ବର୍ଷ ତଳେ ଏମ୍‌.ଭି.-୩୮ ଗ୍ରାମର ପ୍ରଶାନ୍ତଙ୍କୁ ରଞ୍ଜିତା ପ୍ରେମ ବିବାହ କରିଥିଲେ। ବିବାହ ପରେ ପ୍ରଶାନ୍ତ ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡ ନେଇ ଯାଇଥିଲେ। ସେଠାରେ ସବୁ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ପ୍ରଶାନ୍ତ ଓ ତାଙ୍କ ଭଉଣୀ ରଞ୍ଜିତାଙ୍କୁ ମଧ୍ୟ ଅନେକ ସମୟରେ ମାରପିଟ କରିବା, ଗାଳିଗୁଲଜ କରିବା ସହ ମାନସିକ ଓ ଶାରୀରିକ କଷ୍ଟ ଦେଉଥିଲେ। ୨୦୧୮ରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପ୍ରଶାନ୍ତ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆଣିଥିଲେ। ସେ ସୁସ୍ଥ ହେବା
ପରେ ଘରକୁ ଫେରିଥିଲେ। ମାତ୍ର ପରେ ରଞ୍ଜିତା ତାଙ୍କ ଅଜାଣତରେ ପ୍ରଶାନ୍ତ ତାଙ୍କର ଏକ କିଡ୍‌ନୀ ବିକି ଦେଇଥିବା ଜାଣିବାକୁ ପାଇଥିଲେ। ଏ ବାବଦକୁ ସେ ପାଇଥିବା ଟଙ୍କା ପ୍ରଶାନ୍ତ ଏବଂ ତାଙ୍କ ନଣନ୍ଦ ଆତ୍ମସାତ କରିଥିବା ରଞ୍ଜିତା ଜାଣିଥିଲେ। ପରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୭୧/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ପରେ ବେଙ୍ଗାଲୁରୁରୁ ପ୍ରଶାନ୍ତଙ୍କୁ ଗିରଫ କରିଛି।