ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ସ୍ୱାମୀ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫାମିଲି କୋର୍ଟ (ପରିବାର ଅଦାଲତ)କୁ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଭାଗ୍ୟବାନ ମାଜିଷ୍ଟ୍ରେଟଙ୍କ ସ୍ପଷ୍ଟ ଆଦେଶ ସତ୍ତ୍ୱେ ନିଜ ସ୍ତ୍ରୀଙ୍କୁ ନିୟମିତ ଭରଣପୋଷଣ ଅର୍ଥରାଶି ପ୍ରଦାନ କରୁ ନ ଥିଲେ। ଏହି ମାମଲାରେ କୋର୍ଟରେ ଚାଲିଥିବା କେସ୍ ନଂ. ସି.ଆର.ପି ୧୪୮/୨୫ (CRP 148/25) ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରାଯାଇଥିଲା।
କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ପାଟପୁର ଥାନା ଏଏସଆଇ ସୁଧିର ନାୟକ ସଦଳବଳେ ଚଢ଼ଉ କରି ଅଭିଯୁକ୍ତ ଭାଗ୍ୟବାନଙ୍କୁ ୱାରେଣ୍ଟ ବଳରେ ଗିରଫ କରିଥିଲେ। ଗିରଫ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।