ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ ୩ ଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା କୋଲିପାସି ଗ୍ରାମର ରାମ ହାଁସଦା (୨୩), ଭାଦା ମାରାଣ୍ଡି (୨୫) ଓ ମନମୋହନ ହାଁସଦା (୨୪)। ଏନେଇ ଘଟଗାଁ ଥାନା ଅଧିକାରୀ ସୁଭ୍ରକାନ୍ତ ଜେନା ଏକ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ କରଞ୍ଜିଆ ପଟୁ ଆସୁଥିବା ଏକ ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲକୁ (ଓଡି-୧୧-ଡବ୍ଲ୍ୟୁ-୯୦୮୦) ସନ୍ଦେହରେ ଅଟକାଇ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ, ୨ଟି ନଳ, ୫ଟି ଲୁହାମୁନିଆ ତୀର, ଧନୁ ଓ ଲୁହା ରଡ୍ ଜବତ ହୋଇଥିଲା। ପୋଲିସର ପଚରାଉଚରା ବେଳେ ସେମାନେ ଶିକାର କରିବା ଉଦ୍ଦେଶ୍ୟରେ ଘଟଗାଁ ଅଞ୍ଚଳକୁ ଯାଉଥିବା ସ୍ୱୀକାର କରିଛନ୍ତି।
ଏହି ଘଟଣାରେ ଘଟଗାଁ ଥାନାରେ ଆର୍ମସ୍ ଆକ୍ଟ ଧାରା ୨୫ ଅନୁଯାୟୀ ମାମଲା (ନଂ. ୪୯୦/୨୦୨୬) ରୁଜୁ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟଚାଲାଣ କରିଛି।