ଶିକାରୀ ଫାଶରେ କଲରାପତରିଆ

ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍‌ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ସୋମବାର ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ିବା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖବରପାଇବା ପରେ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଜନ୍ତାରେ ନେଇ କୋର୍‌ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଭୋର ସମୟରେ ଏକ କଲରାପତରିଆ ବାଘ ଶିକାରୀ ବସାଇଥିବା ଫାସରେ ପଡିଯାଇଥିବା ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବରପାଇ ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା, ଏସିଏଫ୍‌ଓ ଶୁଭେନ୍ଦୁ ବେହେରା ପ୍ରମୁଖ ପୂର୍ବାହ୍ନ ୯ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ନିକଟରେ ଥିବା ନାଳର ଏକ ବୁଦା ପାଖରେ ବାଘଟି ଫାଶରେ ଛନ୍ଦି ହୋଇରହିଥିବାରୁ ଉଦ୍ଧାର ପାଇଁ ପ୍ରଥମେ ଜାଲ ବିଛାଇବାକୁ ପ୍ରୟାସ କରାଯାଇଥିଲା। ତେବେ ନିକଟରେ ଜନବସତି ଥିବାରୁ ଜାଲ ବିଛାଇ ଧରିବା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ପରେ ସାତକୋଶିଆ ପ୍ରାଣୀଧନ ଚିକିତ୍ସକ କିଶୋର ସାହୁଙ୍କୁ ଡକାଯାଇ ଟ୍ରାଙ୍କୁଲାଇଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଡା. ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବାଘକୁ ଯନ୍ତାରେ ଭର୍ତ୍ତି କରି ଅପରାହ୍ନ ୩ଟାରେ ଅଭୟାରଣ୍ୟର କୋର୍‌ ଏରିଆରେ ଛାଡ଼ି ଦିଆଯାଇଥିଲା। ଫାଶରେ ପଡ଼ିଥିବା ଯୋଗୁ ବାଘର ପଛ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଡାକ୍ତର ସାହୁ କହିଛନ୍ତି, ବାଘର ବେକ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଫାଶରେ ଲାଗିଥିଲେ ଜୀବନ ବଞ୍ଚାଇବା କଷ୍ଟକର ହୋଇଥାନ୍ତା। ତେବେ ଏହି ୩ ବର୍ଷର ଅଣ୍ଡିରା ବାଘର ସେଭଳି କିଛି ସ୍ବାସ୍ଥ୍ୟ ସମସ୍ୟା ଉପୁଜି ନାହିଁ। ଡିଏଫ୍‌ଓ ପଣ୍ଡା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଶିକାରୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।

Share