ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀଗାଁ ବଜାର ଦେଇ ହାଟପଦାଠାରେ ପହଞ୍ଚିଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଆଦିବାସୀଙ୍କ ପ୍ରତି ସରକାରଙ୍କ ଚରମ ଅବହେଳା କରାଯାଉଥିବା ଅଭିଯୋଗରେ ଚାଷୀ ମୁଲିଆ ସୁରକ୍ଷା ସମିତି ପକ୍ଷରୁ ଗର୍ଜିଥିଲେ।
ସମସ୍ତେ ଇନ କି ଲାବ ଜିନ୍ଦବାଦ କହିବା ସହ ଆଦିବାସୀ ଦିବସ ଜିନ୍ଦାବାଦ ବୋଲି ନାରାବାଜି କରିଥିଲେ। ପରେ ସରକାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଗ୍ରାମସଭା ଅକାମୀ କରିବା ଚଳିବ ନାହିଁ, ଜଙ୍ଗଲ ଅଧିକାର ଆଇନ ୨୦୦୬ ସଠିକ କାର୍ଯ୍ୟକାରୀ କରିବା ଦାବି କରିବା ସହ ସରକାର ପ୍ରକୃତି ସୁରକ୍ଷା ପ୍ରାକୃତିକ ସଂମ୍ପଦ ଉପରେ କମ୍ପାନୀ ରାଜକୁ ବନ୍ଦ କରିବାକୁ ଦାବି କରିଥିଲେ।
ସେହିପରି ଅନୁସୂଚିତ ଅଞ୍ଚଳରେ ଆଦିମ ଅଧିବାସୀ ଓ ଆଦିବାସୀ ଜମି କିଣା ବିକା ଆଇନକୁ ବନ୍ଦ କରିବାକୁ ଦାବି କରିଥିଲେ। ଏହାସହ ଦେଶୀବିଦେଶୀ କମ୍ପାନୀ ସ୍ବାର୍ଥରେ ଜଙ୍ଗଲବାସୀଙ୍କୁ ବିସ୍ଥାପନ କରାଯିବା ବନ୍ଦ ପାଇଁ ଦାବି କରାଯାଇଛି। ପରିବେଶ ଧ୍ବଂସକାରୀ ଓ ଜନ ବିରୋଧୀ ଜମି ଅଗ୍ରହଣ ବନ୍ଦକରିବା, ପ୍ରକୃତିକୁ ନଷ୍ଟ କରି ପୁଞ୍ଜିବାଦୀ କର୍ପୋରେଟ ନିର୍ଦ୍ଧାରିତ ବିକାଶର ଧାରାକୁ ବିରୋଧ କରାଯାଇଥିଲା। ସେହିପରି ଆଦିବାସୀମାନଙ୍କୁ ମିଛ ମୋକଦ୍ଦମାରେ ଗିରଫ କରିବାକୁ ଆଦିବାସୀ ସମାଜ ବିରୋଧ କରୁଛି ବୋଲି କୁହାଯାଇଥିଲା। ଆଜିର ଶାସନ ବ୍ରିଟିଶ ଶାସନ ଭଳି। ସ୍ବାଧୀନ ଭାରତରେ କାହିଁକି ଏଭଳି ବ୍ରିଟିଶ ଶାସନ ଭଳି କରାଯାଉଛି ବୋଲି ସରକାର ତମେ ଜବାବ ଦିଅ ବୋଲି ନାରାବାଜି କରିଥିଲେ। ଏଭଳି ସରକାରଙ୍କ ଉପରେ ସମିତି ଗର୍ଜିବା ସହ ତାଙ୍କ ଦାବି ପୂରଣ କରନ୍ତୁ ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଡ଼ିଆ କନ୍ଧ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ,ଲେଙ୍କା ପ୍ରଧାନ, ରାଜୀବ ମାଝୀ,ଧିରେନ୍ଦ୍ର ପଡ୍ରା,ଆଇନଜୀବି ଇନ୍ଦ୍ରମଣୀ ପ୍ରଧାନ,ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ସମିତିର ବଳଭଦ୍ର ମଳିକ,କପିଳାସ ମଳିକ,ଗୋବିନ୍ଦ ମଲିକ,କୃଷ୍ଣ ମଲିକ ପ୍ରମୁଖ ଆୟୋଜନ କରିଥିଲେ।


