ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ ଗତ ଅଗଷ୍ଟ ୬ ତାରିଖରେ ୧୪୦ ଜଣ ଅନ୍ତେବାସୀ ଛାତ୍ର ହଷ୍ଟେଲ ଛାଡ଼ିଥିଲେ।

ଘଟଣାର ପରଦିନ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲାପାଳ ମହେଶ୍ୱର ସୱାଇଁ, ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ପ୍ରମୁଖ ଘାଟଣାର ତଦନ୍ତ କରିବାକୁ ଆସିଥିଲେ। ଏନେଇ ପତ୍ର ସଂଖ୍ୟା ୪୫୨୦/ତା-୬/୮/୨୦୨୬ ଅନୁସାରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରି ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

୨୦୧୭ରୁ ବିନା ଆବଶ୍ୟକୀୟ ଭିତ୍ତିଭୂମିରେ ହଷ୍ଟେଲ ଚାଲିଥିଲା। ୯ ବର୍ଷ ଧରି ପିଲାମାନେ ନିଜସ୍ବ ହଷ୍ଟେଲ, ଶୌଚାଳୟ, ଡାଇନିଂ ହଲ ଓ ବିଶୁଦ୍ଧ ପାନୀୟ ଜଳ ଭଳି ସୁବିଧାରୁ ବଞ୍ଚିତ ହୋଇ ଶ୍ରେଣୀଗୃହରେ ରହିବାକୁ ବାଧ୍ୟ ହେଉଥିଲେ। ମାନବାଧିକାର କର୍ମୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗ ଆଧାରରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। CPCR ଆଇନ, ୨୦୦୫ ଅନୁଯାୟୀ ନିଜର କ୍ଷମତା ପ୍ରୟୋଗ କରି ଆୟୋଗ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia DailyDharitri – Odisha’s No.1 Odia Daily

Share