୫ ବର୍ଷରେ ଶତାଧିକ ଦୁର୍ଘଟଣା: ୬୦ ମୃତ

ପାରାଦୀପ,୯ା୪(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଚଳଚଞ୍ଚଳ ସ୍ଥାନ ହେଲା ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪.୫ କିମି ରାସ୍ତା। ଏହି ରାସ୍ତା ୫୩ ନଂ. ଜାତୀୟ ରାଜପଥ ଓ ୧୨ ନଂ. ରାଜ୍ୟ ରାଜପଥର ସମିଶ୍ରଣ ଅଞ୍ଚଳ। ଏତିକି ରାସ୍ତା ସହ ସଂଯୋଗ ରହିଛି ପିପିଏଲ, ଇଫ୍‌କୋ, ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ୍‌, ୪ ଟି ତୈଳ ଟର୍ମିନାଲ, ଆଦାନୀ ୱିଲମାର, ଗୋଆ କାର୍ବନ, ପାରାଦୀପ କାର୍ବନ, ତୈଳ ବିଶୋଧନାଗାର ଏବଂ ପାରାଦୀପ ବନ୍ଦର। ଉକ୍ତ ରାସ୍ତାରେ ପ୍ରତିଦିନ ହଜାରରୁ ଅଧିକ ଭାରୀଯାନ ଚଳାଚଳ କରୁଛି। ଏହି ରାସ୍ତାର ଟର୍ମିନାଲ ଓ ଇଫ୍‌କୋ ଛକ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ। ଗତ ୫ ବର୍ଷରେ ଏତିକି ରାସ୍ତା ମଧ୍ୟରେ ଶତାଧିକ ଦୁର୍ଘଟଣା ଘଟିଲାଣି। ଯେଉଁଥିରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି। ଏତେ ଦୁର୍ଘଟଣା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଟ୍ରାଫିକ ପୋଷ୍ଟ ଗୋଟିଏ କରାଯାଇନାହିଁ। ଅପରପକ୍ଷେ ଉକ୍ତ ରାସ୍ତାର ଇଫ୍‌କୋ ଛକ ନିକଟରେ ଟ୍ରାଫିକ ଗୋଲେଇ ଛକ କରିବାକୁ ୨୦୧୬ରୁ ଏ ପର୍ଯ୍ୟନ୍ତ ଏହି କମ୍ପାନୀ ଆବେଦନ କରିଥିଲେ ହେଁ ରାଜ୍ୟ ପ୍ରଶାସନ ଓ ଜାତୀୟ ରାଜପଥ ପକ୍ଷରୁ କ୍ଲିୟରାନ୍ସ ମିଳିନାହିଁ। ଏପରିକି ଜଗତ୍‌ସିଂହପୁର ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କରେ ଦୁଇ ଥର ସମୀକ୍ଷା କରି ସାରିଛନ୍ତି। ତଥାପି ଟ୍ରାଫିକ ପୋଷ୍ଟ ପାଇଁ କୌଣସି ସକରାତ୍ମକ ପରିବେଶ ହୋଇନାହିଁ ବୋଲି ଇଫ୍‌କୋ ପକ୍ଷରୁ ସୂଚନା ମିଳିଛି। ଇଫ୍‌କୋ ସମ୍ମୁଖ ରାଜପଥ ଉପରେ ଏହି କମ୍ପାନୀ ନିଜସ୍ବ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଟ୍ରାଫିକ ପୋଷ୍ଟ କରିବା ସହ ତା’ର ମେଣ୍ଟେନାନ୍ସ ଓ ପରିଚାଳନା ପାଇଁ ମାନବସମ୍ବଳ ଦେବାକୁ ରାଜି ଅଛି। କାରଣ ଇଫ୍‌କୋ କାରଖାନାଠାରୁ ରଙ୍ଗିଆଗଡ ରେଳ ଷ୍ଟେଶନ ପର୍ଯ୍ୟନ୍ତ ସାର ପରିବହନ ଅନବରତ ହେଉଛି। ଟ୍ରାଫିକ୍‌ ପୋଷ୍ଟ ନ ଥିବାରୁ ଇଫ୍‌କୋର ଗାଡି ପ୍ରତି ଭଡାରେ ଅଧିକ ୮ କିମି ଯାତାୟାତ କରୁଛି। ଯାହା ଦ୍ୱାରା କମ୍ପାନୀର ସମୟ ଓ ଅର୍ଥ ଅଧିକ ଅପଚୟ ହେଉଛି। ଏଭଳି ଅବସ୍ଥା ଅନ୍ୟ କମ୍ପାନୀର ମଧ୍ୟ ହେଉଛି। ଅନ୍ୟ ଏକ ପ୍ରସଙ୍ଗ ହେଲା ଏତିକି ରାସ୍ତା ସୀମା ଅଞ୍ଚଳରେ ବିଶାଳ ଜନବସତି ହୋଇଗଲାଣି। ଭାରୀଯାନ ଓ ସାଧାରଣଯାନ ଚଳାଚଳ, ଟ୍ରକ ପାର୍କିଂ ଏବଂ ପ୍ରଦୂଷଣ ଯୋଗୁ ଧୂଳି ବଳୟ ସୃଷ୍ଟି ହେଉଛି। ଏହାଦ୍ୱାରା ସ୍ଥାନୀୟ ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛୁ ବୋଲି କୁହନ୍ତି ତାରିଣୀଗଡା ବାସିନ୍ଦା ଦିପ୍ତିପ୍ରକାଶ ପଟ୍ଟନାୟକ। ଏ ସମ୍ପର୍କରେ ପରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀରଙ୍କୁ ପଚାରିବାରେ ଆମେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଲେଖିବା ସତ୍ତ୍ୱେ ସେଠାରୁ କ୍ଲିୟରାନ୍ସ ମିଳୁନାହିଁ ବୋଲି ସେ କହିଛନ୍ତି।