ପ୍ରକୃତି କୋଳରୁ ମଣିଷ ମେଳ

ବ୍ରଜମୋହନ ମିଶ୍ର

ଅଶାନ୍ତିରୁ ପ୍ରଶାନ୍ତି ଲାଭ କରିବାକୁ ଯୁଗେ ଯୁଗେ ମଣିଷ ଜମ୍ବାଳ ଓ ଜଞ୍ଜାଳମୟ ସଂସାର ଛାଡ଼ି ପ୍ରକୃତିର ବିସ୍ତୀର୍ଣ୍ଣ ଏବଂ ବିଭୋର କୋଳକୁ ଲୋଡ଼ିଛି।ବିଶେଷତଃ କବି ଓ ଦାର୍ଶନିକମାନେ ଏଇ ପରାଶକ୍ତିର ସାଯୁଜ୍ୟ ପାଇଁ ଖୁବ୍‌ ଆକୁତି ପୋଷଣ କରିଛନ୍ତି।ପାହାଡ଼ପର୍ବତ, ନଦନଦୀ, ଘଞ୍ଚ ଅରଣ୍ୟାନୀର ଆଶ୍ଳେଷରେ ସେହି ମହୀୟାନମାନେ କେବଳ ପ୍ରଶାନ୍ତି ଲାଭ କରି ନାହାନ୍ତି ଅଧିକନ୍ତୁ ଅଗ୍ନିସ୍ନାନ କରି ଶୁଦ୍ଧ ଓ ସଂବୁଧ ପାଲଟି ଯାଇଛନ୍ତି।ପ୍ରକୃତିର ସ୍ନେହସିକ୍ତ ଜନନୀ ସାନ୍ନିଧ୍ୟ ସେମାନଙ୍କୁ ବିମୋହିତ କରିଛି ଆପଣାର ଦୃଶ୍ୟମାନ ପରିବ୍ୟାପ୍ତିରେ।ସେହିପରି ସେମାନଙ୍କ ଅନ୍ତଲୌକରେ ଏକ ଅପାର୍ଥିବ ଉଦ୍ଭାସନ ଆଣିଛି ମଧ୍ୟ।ସେମାନଙ୍କ ପରି ପ୍ରକୃତି ସହ ଏକାତ୍ମ୍‌ ହୋଇପାରି ନାହାନ୍ତି ମାମୁଲି ଜୀବନ ବଞ୍ଚୁଥିବା ସଂସାରୀମାନେ। କାରଣ ସେମାନେ ବିଶ୍ବାସ କରନ୍ତି ନାହିଁ, କି ଥରେ ବି ଭାବନ୍ତି ନାହିଁ ଯେ ଆମ୍ବ ଗଛର ବଉଳରେ ସେଇ ରହସ୍ୟମୟ ସଭା କେତେ କଥା କହିଥାନ୍ତି କି କୁଳୁକୁଳୁ କରି ବହିଯାଉଥିବା ଝରଣାର ସଙ୍ଗୀତରେ କି ମନ୍ତ୍ର ଉଚ୍ଚାରିତ ହେଉଥାଏ।ଏଇ ସଂସାରୀମାନେ ହୁଏତ କଦବା ପ୍ରକୃତି କୋଳକୁ କୌଣସି ନା କୌଣସି ପ୍ରୟୋଜନୀୟ କାର୍ଯ୍ୟ ଉପଲକ୍ଷେ ଯାଆନ୍ତି ହେଲେ ସେହି କାର୍ଯ୍ୟଘେନା ପ୍ରୀତି ସେମାନଙ୍କୁ ପ୍ରକୃତିର ମର୍ମ ସହ ଏକାତ୍ମ କରି ପାରେନାହିଁ।ସେମାନେ ଆକାଂକ୍ଷା ନେଇ ପ୍ରକୃତି ପାଖକୁ ଯାଆନ୍ତି ଆଉ ଆକାଂକ୍ଷା ପୂରଣ ହେଲା ପରେ ପ୍ରକୃତି ସହ ସମ୍ପର୍କ ରଖନ୍ତି ନାହିଁ।ସେମାନଙ୍କର ଏତାଦୃଶ ସାମୟିକ ପୁଣି ପ୍ରୟୋଜନୀୟ ପ୍ରକୃତିପ୍ରବଣତାକୁ ପ୍ରକୃତିପ୍ରୀତି କୁହାଯାଇପାରିବ ନାହିଁ।
ଅଧିକନ୍ତୁ ସେମାନେ ପ୍ରକୃତି ଦ୍ବାରା ବାହି୍ୟକ ରୂପେ ଉପକୃତ ହେଲେ ସୁଦ୍ଧା ପ୍ରକୃତି ଦ୍ବାରା ସେମାନଙ୍କ ଅନ୍ତର୍ଲୋକ ବିସ୍ତାରିତ ଓ ବିକଶିତ ହୁଏନାହିଁ।
ଅନ୍ୟ ଦିଗରେ ପ୍ରକୃତି କୋଳରେ ଆପଣାର ଜୀବନକୁ ବିତେଇ ଦେଇଥାନ୍ତି ମୁନି ଋଷିମାନେ। କେଉଁ ଏକ ଅଦ୍ଭୁତ ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଏ ବ୍ୟତିକ୍ରମୀ ସରାଗଣ ସଂସାର ବିମୁଖ ହୋଇଥାନ୍ତି।ସେମାନଙ୍କ ଦୃଷ୍ଟିରେ ସଂସାରରେ ରହିଲେ ପାପ ତାପ ଲାଗିବ, ତେଣୁ ଜୀବନ ଅବଶ୍ୟ ନଷ୍ଟଭ୍ରଷ୍ଟ ହୋଇଯିବ।ସଂସାରର ସଙ୍ଗ ଅର୍ଥ ଅତ୍ସ ସଙ୍ଗ ଏବଂ ଅସର ସଙ୍ଗ ହେବା ଅର୍ଥ ଭଗବାନଙ୍କୁ ଲାଭ କରିବାର ସକଳ ପଟୁ ବନ୍ଦ କରିଦେବା।ଆଉ ଟିକିଏ ଫିଟେଇ କହିଲେ ଏପରି ହେବ ଯେ ସେମାନେ ଖୁବ୍‌ ଗଭୀର ଭାବେ ବିଶ୍ବାସ କରନ୍ତି ସଂସାରର ସାନ୍ନିଧ୍ୟ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟରୁ ଅର୍ଥାତ ଭଗବାନଙ୍କୁ ଲାଭ ବା ମୋକ୍ଷପ୍ରାପ୍ତିରୁ ଓହରାଇ ଆଣେ।ଭଗବାନଙ୍କୁ ଲାଭ କରିବା ପରି ସର୍ବୋଚ୍ଚ ଲକ୍ଷ୍ୟ ପୂରଣ କରିବାକୁ ହେଲେ ଏଠୁ (ସଂସାରରୁ) ଖସି ଯାଇ ସେଠି (ପ୍ରକୃତିକୋଳ) ନୀରବରେ, ନିଃସଙ୍ଗ ଜୀବନ ଯାପନପୂର୍ବକ ତପସ୍ୟା କରିବା ସର୍ବାଦୌ ପ୍ରୟୋଜନ। ସେଥିସକାଶେ ଆମ ଦେଶରେ ଗଙ୍ଗାତଟ, ବଂଶୀବଟ ଏବଂ ହିମାଳୟ ମଠରେ (ପ୍ରକୃତିକୋଳରେ) ସାଧୁ ମହାତ୍ମାମାନେ ଆଶ୍ରମ ସ୍ଥାପନ କରି ଭଜନ, କୀର୍ତ୍ତନ, ଧ୍ୟାନ ଧାରଣାରେ ବ୍ୟାପ୍ତ ରହି ଆସିଛନ୍ତି।ସେମାନଙ୍କୁ ଆଶ୍ରା କରି ଅବା ସେମାନଙ୍କ କୃପାଧନ୍ୟ ହୋଇ ଏ ଦୁସ୍ତର ସଂସାର ସାଗର ପାର ହେବା ପାଇଁ ଆମ ଲୋକେ ସେମାନଙ୍କର ଭକ୍ତ ପାଲଟିଛନ୍ତି।ଏମାନଙ୍କ ମଧ୍ୟରୁ କେହି କେହି ସେହି ସୁଜନମାନଙ୍କ ସହ ସେମାନଙ୍କ ଆଶ୍ରମରେ ସବୁଦିନ ରହିଯାଉଛନ୍ତି।ଆଉ କେହି କେହି ଆପଣାର ସାମର୍ଥ୍ୟ ଅନୁଯାୟୀ ବର୍ଷକୁ ଥରେ ଅଧେ ସେହି ମହାତ୍ମାମାନଙ୍କ ଦର୍ଶନ କରିବାକୁ ଆଗୁସାର ହୋଇଛନ୍ତି।ପ୍ରକୃତିକୋଳରେ ଆଶ୍ରମ କି ମଠ ସ୍ଥାପନ କରିଥିବା ମହାତ୍ମାମାନେ ଭକ୍ତମାନଙ୍କର ମନସ୍କାମନା ପୂରଣ ପାଇଁ ଆଶ୍ରମରେ ପ୍ରବଚନ ଇତ୍ୟାଦିର ବ୍ୟବସ୍ଥା ମଧ୍ୟ କରିଥାନ୍ତି।ସପ୍ତାହେ କି ଦିସପ୍ତାହ ଏ କର୍ମକାଣ୍ଡ ଚାଲେ।ତାପରେ ସାଧୁମାନଙ୍କ ଆଶୀର୍ବାଦ ଲାଭକରି ଭକ୍ତମାନେ ସଂସାରକୁ ଫେରନ୍ତି।ଏହା ଭିତରେ ସେମାନଙ୍କର କ’ଣ ଘଟିଥାଏ, ତାହା ସେମାନେ ହିଁ କେବଳ ଜାଣିଥିବେ।ହେଲେ ଦେଖାଯାଏ ସେଇ ବାପୁଡ଼ାମାନେ ଏତେ ଦିନଧରି ସସଙ୍ଗ କଲାବେଳେ ଯେପରି ଆଶ୍ରମ ପ୍ରତି ଉଦ୍‌ବୁଦ୍ଧ ହୋଇଥାନ୍ତି, ଯେଉଁ ପ୍ରକୃତି କୋଳରେ ଆଶ୍ରମଟି ଗଢ଼ି ଉଠିଥାଏ ସେପରି ତାହା ସହ ସେମାନଙ୍କର ଏକାଗ୍ରତା ଆସି ନ ଥାଏ (ଏପରିକି ତାହା ପ୍ରତି ନଜର ବି ନ ଥାଏ), ସତ୍‌ସଙ୍ଗରେ ଅବଗାହନ କରି ବି ତଥାପି ଅଶୁଦ୍ଧ, ଅପରିବର୍ତ୍ତିତ ରହିଥାନ୍ତି।ସେମାନେ ସତେଯେପରି ମୁଁ ସେଇ ଦରପୋଡ଼ା କାଠ ହୋଇ ଭାରି ଅମହତ ଦିଶୁଥାନ୍ତି। ହଁ, ପ୍ରକୃତିର ମନଲୋଭା ବିଭାବ ଓ ବିଭବରେ ସମ୍ପୃକ୍ତ ହୋଇ ଆଶ୍ରମଟି ମାନ କରିଥିବା ସାଧୁମାନେ ଦିନରାତି ଈଶ୍ୱରଚେତା ହୋଇ ଈଶ୍ୱରମୁଖୀ ହୋଇଥାନ୍ତି।କେବେ କେମିତି ଭକ୍ତମାନଙ୍କ ଭଜନାରେ ବିଗଳିତ ହୋଇ ସଂସାରକୁ ଆସି ସେମାନଙ୍କ ଦିବ୍ୟ ପ୍ରବଚନ ଦ୍ୱାରା ସଂସାରୀମାନଙ୍କୁ ବି ବିମୋହିତ କରିଥାନ୍ତି।ତାପରେ ପୁଣି ପ୍ରକୃତି କୋଳରେ ଥିବା ସେମାନଙ୍କ ମଠ, ଆଶ୍ରମକୁ ଫେରିଥାନ୍ତି।ସଂସାରରେ ଅଧିକ ସମୟ ରହି, ଦୁଃଖକଷ୍ଟରେ ହାଉଲୁମାଉଲୁ ହେଉଥିବା ଆର୍ଷ ମଣିଷର ସାଥୀ ହେବାକୁ ଏଇ ଆଶ୍ରମବାସୀମାନଙ୍କୁ ଆଦୌ ଭଲ ଲାଗେନା।ଏହାଦ୍ୱାରା ସେମାନେ ସଂସାର ପ୍ରତି ଆସକ୍ତ ହେବା ବୁଝନ୍ତି ଏବଂ ଆସକ୍ତିରୁ ଊର୍ଦ୍ଧ୍ୱକୁ ଯିବା ତ ସନ୍ନ୍ୟାସର ଅନ୍ୟତମ ଲକ୍ଷ୍ୟ ଓ ଲକ୍ଷଣ।ତା’ର ଅର୍ଥ ସନ୍ନ୍ୟାସୀ ଅନାସକ୍ତ ହେବ, ସଂସାର କଥାରେ ମୁଣ୍ଡ ପୂରାଇବ ନାହିଁ।ସଂସାର ଭାସି ଯାଉଥିଲେ ବି ସେ ଈଶ୍ବର ଲାଭ ନିମିତ୍ତ ଅବଶ୍ୟ ପଦ୍ମାସନରେ ବସି ମାଳି ଗଡ଼ାଇବ।ୟୁକ୍ରେନ ଯୁଦ୍ଧ, ଲିବନ-ଭୂମିକମ୍ପ, ପାକିସ୍ତାନର ପ୍ରଳୟଙ୍କରୀ ବନ୍ୟା, ଚିଲିକା ନୌଦୁର୍ଘଟଣାରେ ବହୁ ଜୀବନ କି ଦୀର୍ଘଦିନ ଧରି ଅନାହାରରେ ପ୍ରପୀଡ଼ିତ କାଶୀପୁରର ହତଭାଗାମାନଙ୍କର ମୁତ୍ୟୁ କିମ୍ବା ନିର୍ଭୟାର ବଳାତ୍କାର ପରି ଦୁର୍ଘଟଣାଗୁଡ଼ିକରେ ସେ ମୁଣ୍ଡ ଖେଳାଇବ ନାହିଁ।ମୁଣ୍ଡ ଖେଳାଇବାମାନେ ତ ଆସକ୍ତ ହୋଇଯିବା ପରା! ସଂସାର ଭାସିଗଲେ ବି ଭଗବାନଙ୍କୁ ପାଇବା ଲକ୍ଷ୍ୟରେ ଏଇ ବିମୂଢ଼ାତ୍ମାମାନେ ସଜୋର ଲାଗି ପଡ଼ିଥାନ୍ତି।ଆଖି ବନ୍ଦ କରି ଜପ କରୁଥିବା ଏମାନଙ୍କର ଅନ୍ତରଚକ୍ଷୁ ଏତେ ମୁଦ୍ରିତ ହୋଇଥାଏ ଯେ ଏମାନେ ସତ୍ୟର ବିଶ୍ୱରୂପ ଦର୍ଶନ କରିବାରେ ଅସମର୍ଥ ହୋଇଥାନ୍ତି।ପ୍ରକୃତିକୋଳର ପବିତ୍ରତା ସହ ଦୀର୍ଘଦିନ ସମ୍ପର୍କ ସ୍ଥାପନ କଲା ପରେ ବି ଏଇ ଆଧ୍ୟାତ୍ମିକ ବିସ୍ଥାପିତମାନେ ସତରେ ସଂସାର ସଉଦା ଅବା ସଂସାରରେ ଜୀବନ ସଉଦା କରିବାରେ ଶୋଚନୀୟ ବିଫଳ ହୋଇଥାନ୍ତି।
ଏଇକାଟର ଉପନିଷଦୀୟ ‘ଆମତ୍ହନୋ ଜନାଃ’ଙ୍କୁ ଆମେ ତଥାପି ଭର୍ସନା କରିବା ନାହିଁ କି ସେମାନଙ୍କ ବାଟକୁ ବି ଆପଣେଇ ନେବା ବି ନାହିଁ।ଆମେ ପ୍ରକୃତି କୋଳକୁ ଯିବା, ଅବଶ୍ୟ ଯିବା ତା’ର ଷୋଳଅଣା ହାଇଯିବା।ପ୍ରକୃତିର ଚିରନ୍ତନ ଆଧ୍ୟାତ୍ମିକ ଆହ୍ବାନଟିକୁ ନିଶ୍ଚିତ ଶୁଣିବା।ତା’ର ଶୁଭ ସଂହତି ଓ ସଙ୍ଗତି ଦ୍ବାରା ଉଦ୍‌ବୁଦ୍ଧ ହେବା।କେବଳ ଆପଣାର ଅଶାନ୍ତି ଦୂର କରିବାକୁ ତା’ କୋଳ ଲୋଡ଼ିବା ନାହିଁ।ତା’କୋଳରେ ଥିବାବେଳେ ଅବା ତା’ର ସସଙ୍ଗ ଲାଭବେଳେ ସଂସାରର ଅଶାନ୍ତି କଥା ଭାବିବା ଏବଂ ତା’ର ନିରାକରଣ ପାଇଁ ଅବଶ୍ୟ ତାଠାରୁ ଶକ୍ତି ସଂଗ୍ରହ କରିବା।ସେ ଶକ୍ତି ସଂଗ୍ରହର ଅର୍ଥ ହେଉଛି ତା’ ପରି ଅନାବିଳ ଭାବରେ ସମଗ୍ରର କଲ୍ୟାଣ ପାଇଁ ସବୁମତେ ଆପଣାକୁ ଖୋଲିଦେବା।ସେଥିରେ ଲେଶ୍‌ମାତ୍ର ସ୍ବାର୍ଥ ରହିବ ନାହିଁ।ନଦୀମାନେ ଯେପରି ଆପଣାର ଜଳ ଆପେ ପିଅନ୍ତି ନାହିଁ, ବୃକ୍ଷମାନେ ଯେପରି ଆପଣା ଫଳମାନ ନିଜେ ଖାଆନ୍ତି ନାହିଁ ସେହିପରି ଆମେ ଆପଣାର ଜୀବନକୁ ନିଜ ସେରକ ମାଣକ ପୂରେଇବାରେ ଅପବ୍ୟୟ କରିବା ନାହିଁ।ପ୍ରକୃତି କୋଳରୁ ଏଇ ଦୃଷ୍ଟି ଓ ଦର୍ଶନ ଲାଭ କରି ଆମେ ଯୋଗମୟ ଜୀବନ ଯାପନ କରି ପରମା ପ୍ରେମାସ୍ପଦା ପ୍ରକୃତି ମା’ର ଯଥାର୍ଥ ସନ୍ତକ ଭାବେ ଉଦାତ୍ତ କଣ୍ଠରେ ଗାଇ ଉଠିବା : ବୈରାଗୀ ସାଧନେ ମୁକ୍ତି, ସେ ଆମାର ନୟ।ଅସଂଖ୍ୟା ବନ୍ଧନ -ମାଥେ ମହାନନ୍ଦମୟ।ଲଭିବ ମୁକ୍ତିର ସ୍ବାଦ ……।
ଅବସରପ୍ରାପ୍ତ ପ୍ରାଧାପକ, ଇଂଲିଶ ବିଭାଗ,
ପୁରୁଷୋତ୍ତମ ବିହାର, ଭଦ୍ରକ।
ମୋ : ୮୦ ୧୮o୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri