ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ମଣିଷ କଙ୍କାଳକୁ ଜବତ କରିଛି ପୋଲିସ । ତେବେ ଏହା କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଜଣେ ମହିଳାଙ୍କର ହୋଇଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ ସନ୍ଦେହ କରିଛି ।
ଖବର ଅନୁସାରେ, ସୋମବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ସ୍ଥାନୀୟ ଅଂଚଳର କିଛି  ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼କୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କେନାଲ କୁଳରେ ଏକ ଧଳା ଜରି ଅଖା ଭିତରେ ଏକ ମଣିଷ କଙ୍କାଳ ଅଧା ପୋଡ଼ା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଯାଇଥିଲା। ଖବର ପାଇ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ସହ ପହଞ୍ଚି ମଣିଷ କଙ୍କାଳକୁ ଜବତ କରିଛି ।
ପୋଲିସ ୧୩।୨୬ କେସ ନମ୍ୱରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । ଅନ୍ୟପଟେ ଧଳା ଜରି ଅଖା ଭିତରୁ ମହିଳାଙ୍କର ଅନ୍ତବତ୍ସ ମିଳିଛି । ଏହାପରେ ମିଳିଥିବା ମଣିଷ କଙ୍କାଳ ଜଣେ ମହିଳାଙ୍କ ବୋଲି ପୋଲିସ ପ୍ରାଥମିକ ପର୍ଯ୍ୟାୟର ତଦନ୍ତ ବେଳେ ସନ୍ଦେହ କରିଛି ।

 

Dharitri – Odisha’s No.1 Odia Daily