ବର୍ଷା-ଅନୁଭବଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ ଅଫିସ,୧୧ା୯:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗୁରୁବାର କେତେଜଣ ମାନବାଧିକାର କର୍ମୀ ଆଗେଇ ଆସିଛନ୍ତି। ସେମାନେ ଅନୁଭବଙ୍କ ଚୌଧୁରୀବଜାରସ୍ଥିତ ବାସଭବନକୁ ଯାଇ ଅନୁଭବ ଓ ବର୍ଷାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆପୋସ ବୁଝାମଣା ଦ୍ୱାରା ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରାଯାଇଛି ବୋଲି ଅନ୍ତର୍ଜାତୀୟ ମାନବାଧିକାର କମିଶନ୍‌ର ରାଜ୍ୟ ମହିଳା ସଭାପତି ଗୀତାଶ୍ରୀ ଦାସ କହିଛନ୍ତି। ଗୀତାଶ୍ରୀଙ୍କ କହିବାନୁଯାୟୀ, ବର୍ଷା ଓ ଅନୁଭବଙ୍କ ସହ ପୃଥକ୍‌ ପୃଥକ୍‌ ଭାବେ ଆଲୋଚନା କରିଥିଲୁ। ବର୍ଷା ଶାଶୁ, ଶ୍ୱଶୁରଙ୍କ ଉପରେ କୌଣସି ଅଭିଯୋଗ ଉଠାଇ ନ ଥିଲେ। ଅନୁଭବଙ୍କ ମଦ୍ୟପାନ ବିଷୟରେ ହିଁ ତାଙ୍କର ମୁଖ୍ୟ ଅଭିଯୋଗ ରହିଛି। ମଦ୍ୟପାନ କରିବା ପରେ ଅନୁଭବ ତାଙ୍କୁ ଗାଳିଗୁଲଜ କରନ୍ତି ବୋଲି ବର୍ଷା କହିଛନ୍ତି। ଅନ୍ୟପକ୍ଷରେ ପିଟିଶନରେ ଯେଉଁ ସମସ୍ତ ଅଭିଯୋଗ ରହିଛି ତାହାକୁ ବର୍ଷା ଦୋହରାଇଥିଲେ। ସେହିପରି ଅନୁଭବ ମଧ୍ୟ ନିଜ ପିଟିଶନରେ ଉଲ୍ଲେଖ କରିଥିବା ଅଭିଯୋଗ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ଉଠାଇ ନ ଥିଲେ ବୋଲି ଗୀତାଶ୍ରୀ କହିଛନ୍ତି। ତେବେ ସମ୍ପର୍କ ବିଚ୍ଛେଦ ନ ହେଉ ବୋଲି ବର୍ଷାଙ୍କ ଆଶା ରହିଛି। ଅନୁଭବଙ୍କ ଛାଡ଼ପତ୍ର ପିଟିଶନ କିପରି ଖାରଜ ହେବ ସେ ନେଇ ବର୍ଷା ନିଜ ମତ ରଖିଥିଲେ। ଏହି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଗୀତାଶ୍ରୀ ମତବ୍ୟକ୍ତ କରିଛନ୍ତି।