କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା ସମୟରେ ସେ କାମ ସାରି ଘରକୁ ଫେରୁଥିବା ବେଳେ ୧୯ଟିକିଆ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ମୃତ ବ୍ୟକ୍ତିଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ ବୋଲି ଜଣାପଡ଼ିଛି।
ରବିବାର ବନ ବିଭାଗର କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ହାତୀ ଉପଦ୍ରବରୁ ସୁରକ୍ଷା ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ପ୍ରତିବାଦ ଜଣାଇଥିଲେ।
ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟାଳୟ ଡାକ୍ତରଖାନାକୁ ପଠାଇଥିବା ବେଳେ ବନ ବିଭାଗ ପକ୍ଷରୁ ଶେଷକୃତ୍ୟ ନିମନ୍ତେ ପ୍ରାଥମିକ ସହାୟତା ଓ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ସୂଚନା ମିଳିଛି।