ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଖୁଆଡ଼ରୁ ବାହାରକୁ ଆସିବା ପରେ ଗିବନ୍ଟି ନନ୍ଦନକାନନ ପରିସରରେ ଥିବା ଏକ ବଡ଼ ଗଛ ଉପରେ ଯାଇ ବସି ରହିଥିଲା।
ଗିବନ୍ଟି ଖୁଆଡ଼ରୁ ବାହାରକୁ ଆସିଥିବା ଦେଖି କିଛି ପର୍ଯ୍ୟଟକ ନନ୍ଦନକାନନ କର୍ମଚାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ଖବର ପାଇବା ପରେ ନନ୍ଦନକାନନ କର୍ମଚାରୀ ଓ ଟ୍ରାଙ୍କୁଲାଇଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗିବନ୍ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।
ତେବେ ଟ୍ରାଙ୍କୁଲାଇଜ୍ ଟିମ୍କୁ ଦେଖି ଗିବନ୍ଟି ପୁଣି ଖୁଆଡ଼ ଭିତରକୁ ପଶିଯାଇଥିଲା। ଫଳରେ ଗିବନ୍ଟିକୁ ନିରାପଦରେ ଖୁଆଡ଼ ଭିତରକୁ ଫେରାଇ ନିଆଯାଇଥିଲା। ଘଟଣାରେ କୌଣସି ଅଘଟଣ ଘଟିନଥିବା ଜଣାପଡ଼ିଛି।