ଏ ବର୍ଷ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ମଣିଷ, ବୃକ୍ଷଲତା, ପଶୁପକ୍ଷୀ ସମସ୍ତ ସଜୀବ ଦହଗଞ୍ଜ ହେଉଛନ୍ତି। ପିଇବା ପାଇଁ ମୁନ୍ଦାଏ ପାଣି ନାହିଁ। ନଈ, ନାଳ ପୋଖରୀ ଶୁଖି ଅଁା। ସରକାର ଚୁପ୍। ବିପକ୍ଷ ଦଳ ସୁଯୋଗ ଖୋଜୁଛନ୍ତି, କିନ୍ତୁ କାହା ବିରୋଧରେ ରାସ୍ତାରୋକ କରିବେ ରାସ୍ତା ପାଉନାହାନ୍ତି। ଇନ୍ଦ୍ରଙ୍କୁ ଦୋଷ ଦେଇ ହେବ ନାହିଁ। ଯେହେତୁ ଇନ୍ଦ୍ର ସରକାରଙ୍କ ହାତରେ ନାହିଁ। ସୂର୍ଯ୍ୟ ଯଦି ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥା’ନ୍ତା, କେବେଠାରୁ ତାଙ୍କର ଇସ୍ତଫା ଦାବି ଉଠେଇ ପାର୍ଲିଆମେଣ୍ଟ ଘେରାଉ କରିସାରିଥା’ନ୍ତେ। ବର୍ତ୍ତମାନ ଅସରାଏ ବର୍ଷା ହୋଇଗଲେ ମିଡିଆ ବି ଚୁପ୍। ଖରା ଛାଡ଼ି ବର୍ଷାକୁ ଡେଇଁଯିବେ। ଆଉ କାହାର ପାଟି ଫିଟିବ ନାହିଁ। କୌଣସି ସ୍ତମ୍ଭକାରଙ୍କ ପେନ୍ରୁ ଟୋପାଏ କାଳି ବି ଝରିବ ନାହିଁ। କାରଣ ମଣିଷର ପ୍ରବୃତ୍ତି ହିଁ ସେତିକି। ଚୋର ଗଲା ପରେ ବୁଦ୍ଧି ଦିଶିବ। ନିଆଁ ଲାଗିଗଲା ପରେ ଅଗ୍ନି ନିରାପତ୍ତା ଗାଡ଼ି ପହଞ୍ଚତ୍ବ ଏବଂ ମୃତ ଦେହ ସାଙ୍ଗରେ ଫଟୋ ଉଠେଇବା ପାଇଁ ହିଁ ପୋଲିସ ପହଞ୍ଚିବ। ପୂର୍ବରୁ ସତର୍କ ନାହିଁ କି ଜାଗ୍ରତ ନାହିଁ। ଡିଉଟି କରୁଛୁ ତ କରୁଛୁ।
ବହୁତ ପୂର୍ବରୁ ଜଳବାୟୁ ବିଶେଷଜ୍ଞ ସତର୍କ କରାଇଥିଲେ ଏ ବର୍ଷ ଗରମରେ ସିଝିବ ସାରା ଭାରତ। କିନ୍ତୁ ସରକାର କେବଳ ସନ୍ ଷ୍ଟ୍ରୋକକୁ ସମ୍ମୁଖୀନ ହେବା ପାଇଁ ଜନ ସଚେତନ କରି ଚୁପ୍। କିନ୍ତୁ ପୋଖରୀରେ କେମିତି ପାଣି ରହିବ, ପାଣି ଅଧିକ କେମିତି ଖର୍ଚ୍ଚ କରିବେ ନାହିଁ- ଜାଗ୍ରତ ନିଜେ ହେଲେ ନାହିଁ କି କାହାକୁ ମଧ୍ୟ କଲେ ନାହିଁ। ଗାଁର ବଡ଼ ବଡ଼ ଲୋକ ଟାଙ୍କି ଟାଙ୍କି ପାଣି ଉଠେଇ ନେଉଛନ୍ତି, କେହି କିଛି କହୁନାହାନ୍ତି। ବିଚରା ଗାଈଗୋରୁଙ୍କୁ ପାଣି ମୁନ୍ଦିଏ ମିଳୁନାହିଁ।
ଆଗକୁ ବର୍ଷାଋତୁ ଆସୁଛି। ବର୍ତ୍ତମାନ ସୁଦ୍ଧା ସରକାର ପୂର୍ବ ପ୍ରସ୍ତୁତି କିଛି ନେଲା ପରି ମନେ ହେଉନାହିଁ। ଭାଙ୍ଗିଯାଇଥିବା ବନ୍ଧ ବାଡ଼ ସଜଡ଼ା ହେଉ ନାହିଁ। ବିଭିନ୍ନ କେନାଲରୁ ମାଟି ଉଠେଇ ବର୍ଷାଦିନ ପାଣି ସୁବିଧାରେ ନିଷ୍କାସନ ହେବା ବ୍ୟବସ୍ଥା ହେଉନାହିଁ। ପଟୁମାଟିରେ ପୂର୍ଣ୍ଣ ପୋଖରୀର ପୁନରୁଦ୍ଧାର କରାଯାଉନାହିଁ। ରାସ୍ତାଗୁଡ଼ିକରେ ଥିବା ଖାଲଖମା ବନ୍ଦ କରାଯିବା ପରି କେଉଁଠି ଦୃଷ୍ଟିଗୋଚର ହେଉ ନାହିଁ। ଗଁା ସାହିମାନଙ୍କରେ ଥିବା ଛୋଟ ଛୋଟ ଡ୍ରେନ୍ ସଫା ହୋଇନାହିଁ। ବନ୍ୟାପାଣି ନଦୀବନ୍ଧ ଭାଙ୍ଗି ଗଁା ଗଣ୍ଡାରେ ପଶିଲେ ବିରୋଧୀ ହୁକେ ହୋ କରିବେ। କୁଶପୁତ୍ତଳିକା ଦାହ କରି ପ୍ରତିକାର ଜଣାଇବେ। ରଣହୁଙ୍କାର ଭରି ରଡ଼ି କରିବେ- ସରକାର ତୁମେ ଆମ କଥା ମାନିନିଅ। ବର୍ତ୍ତମାନ ସୁଦ୍ଧା ଶୋଇଥିବା ସରକାରଙ୍କୁ କେହି ଉଠାଇ ସତର୍କ କରୁନାହାନ୍ତି। ଜଣେ ସଚ୍ଚା ଭାରତୀୟ ତଥା ବିରୋଧୀ ଦଳର କ’ଣ ଏହା ଭୂମିକା ନୁହେଁ କି! ଆମ ପରି ସମାଜ ହିତାକାଂକ୍ଷୀ ମଣିଷ ଦଳବଳ ହୋଇ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିପାରିଲେ ମଧ୍ୟ ହୁଅନ୍ତା। ପୂର୍ବରୁ କିଛି ନ କରି ସରକାରଙ୍କ ଦ୍ୱାରା କିଛି ଭୁଲ୍ ହୋଇଗଲେ ହୁକେ ହୋ ହୋଇ ରାସ୍ତା ଜାମ, ଗାଡ଼ି ଭଙ୍ଗାରୁଜା, ଷ୍ଟ୍ରାଇକ୍ ଆରମ୍ଭ କରିଦେବା ହିଁ ସାର। ଭବିଷ୍ୟତ ଦେଖିବା ଆମ ନିକଟରେ ନାହିଁ। ଆଜି ଯାହା ମିଳିଲା ଖାଇଦେବା, କାଲି କଥା କାଲିକି ଦେଖିବା ନ୍ୟାୟରେ ଆମେ ରହିଯାଇଛୁ। କିନ୍ତୁ ବିରୋଧୀ ଦଳର ହୁକେ ହୋ ସହିତ ଯଦି ଶୃଗାଳ ପରି ସମସ୍ତ ଲୋକ ସ୍ବର ମିଳେଇ ହୁକେ ହୋ କରିଦେବେ ନା, ସରକାର ଶୋଇପାରିବ ନାହିଁ। ସମସ୍ତ ସଚେତନ ମାନବ ଦେଶ ହିତରେ ଏକଜୁଟ ହେବାକୁ ହେବ। କାରଣ ହୁକେ ହୋ ଏକ ସାମୂହିକ ସ୍ବର।
ବ୍ରିଟିଶ୍ ଗୋଟିଏ ଜାତି, ଯିଏ ଶହ ଶହ ବର୍ଷ ଆଗକୁ ଦେଖିଥାଏ। ତାଙ୍କ ଦ୍ୱାରା ପ୍ରସ୍ତୁତ କଲିକତା ହାୱଡା ବ୍ରିଜ ଆଜି ଅକ୍ଷତ ଅବସ୍ଥାରେ ରହିଛି। ଆମ ଇଞ୍ଜିନିୟରମାନେ ଆଜି କରିଥିବା ପୋଲ ବର୍ଷେ ଭିତରେ ରିପେୟାର ମାଗୁଛି। ବ୍ରିଟିଶ୍ଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଗମନାଗମନ ପଥ, ବ୍ରିଜ, ରେଳପଥ ଆଜି ମଧ୍ୟ ସୁଚିନ୍ତିତ ପରି ମନେହୁଏ। ଅଯଥା, ଅପଚୟ କହି କୌଣସି ଏକ ଭୁଲ୍ ବାଛିପାରିବେ ନାହିଁ। ବର୍ତ୍ତମାନ ମଧ୍ୟ ବିଭିନ୍ନ ଅଞ୍ଚଳରେ ଥିବା ବ୍ରିଟିଶ୍ ପୋଲର ଲୁହାରେ କଳଙ୍କି ଛୁଇଁନାହିଁ କି ଇଟାଟିଏ ଧୋଇ ହୋଇ ନାହିଁ। ଅବଶ୍ୟ ସେମାନେ ଭାରତରୁ ଧନ ସମ୍ପତ୍ତି ନେଇଯାଇଛନ୍ତି। ଆମ ସରକାର କିନ୍ତୁ ଆଜି କାମ ହୋଇଯାଉ କାଲିକୁ କାଲି କାମ ଦେଖିବା ନ୍ୟାୟରେ ଋତୁଭିତ୍ତିକ କାର୍ଯ୍ୟ ସମ୍ପାଦନା କରି ବାହାବା ନେବାକୁ ଚେଷ୍ଟିତ। ଗୋଟିଏ ଦିନ ପରେ ପିଚୁ ଉଠିଯିବାର ଦୃଶ୍ୟ ଦଖିଆସୁଛୁ। ସରକାରୀ କୋଠାରୁ ବର୍ଷେ ପରେ ପାଣି ଗଳିବାର ଦୃଶ୍ୟ ନଜରରେ ଅଛି। ଭାରତରେ ଅନେକ ଜାତି ଦ୍ରୁତ ଗତିରେ ଆଗକୁ ଆଗ ବଢ଼ୁଥିବା ବେଳେ ଆଉ କିଛି ଜାତିକୁ ସରକାର ଉଠେଇବାକୁ ଚେଷ୍ଟା କରି କରି ନିଜେ ଥକିଗଲେଣି ସିନା, ସେହି ଜାତି ସେମିତି ପଡ଼ିରହିଛି।
ଆଜିର ତାତି କିମ୍ବା କାଲିର ବନ୍ୟା କୁହ, ଏଥିପାଇଁ କିଏ ଦାୟୀ। ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ କାହିଁକି ପଚାରିବା ବରଂ କେବଳ ମଣିଷସମାଜ ହିଁ ନିଜକୁ ନିଜେ ପଚାରନ୍ତୁ। ସରକାର କଥା ଚିନ୍ତା କରନ୍ତୁ। ସରକାର କ’ଣ ରୋଡ଼ ଘାଟ ପାଇଁ ଅନେକ ଶହ ଗଛ କାଟି ନାହିଁ କି? କଳକାରଖାନା ନଁାରେ ଏକର ଏକର ଜଙ୍ଗଲ ପୋଡ଼ି ଜାଳି ନଷ୍ଟ କରି ନାହିଁକି। ଭୂତଳ ପାଣି ଉଠେଇ ଘାସ ଗାଲିଚା ନାମରେ ମନଇଚ୍ଛା ବ୍ୟବହାର କରିନାହାନ୍ତି କି। ଏହି ମଣିଷ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଏଥିପାଇଁ ସରକାର ନା ଭଗବାନ୍ କେହି ମଣିଷ ପିଠିରେ ପଡ଼ିବେ ନାହିଁ।
ବର୍ଷ ବର୍ଷ ଧରି ପ୍ରକୃତି ସାଙ୍ଗରେ ଆମେ ଖେଳି ଚାଲିଛେ। ହଜାର ହଜାର ଗଛ ମାରି ବସତି ସ୍ଥାପନ କରିଛେ। ସ୍କୁଲ କଲେଜ ନାମରେ ମାଟି ତାଡ଼ି କଂକ୍ରିଟ ପୋତିଛେ। ଅନାବନା ଗଛ ନଁାରେ ଔଷଧ ସ୍ପ୍ରେ କରି ପୃଥିବୀ ଆବରଣକୁ ନଷ୍ଟ କରିଛେ। ଗମନାଗମନ ସୁବିଧା ପାଇଁ ପାହାଡ଼କୁ ଚିରି, କଣା କରି ରାସ୍ତା ତିଆରି କରିଛେ। ଯୁଦ୍ଧ ସମୟରେ ବିଭିନ୍ନ ବୋମା ମାଡ଼ ଦ୍ୱାରା ନିର୍ଗତ ଧୂଅଁା, ଧୂଳି ଆକାଶର ଓଜନ ସ୍ତରକୁ ନଷ୍ଟ କରିଛି। ଉତ୍ପନ୍ନ ଧୂଅଁା ଆକାଶକୁ ଯାଇ ପରିବେଶକୁ ଖରାପ କରୁଛି। ଗଛ ନାହିଁ, ବର୍ଷା ହେବ କେମିତି! ମାଟି ନଦୀକୁ ନ ଯାଇ ରହିବ କେମିତି।
ହୁକେ ହୋ ହୋଇ ସମସ୍ତ ଜନତା ସରକାରଙ୍କ ପ୍ରତିଟି କାମକୁ ସମର୍ଥନ କିମ୍ବା ବିରୋଧ କରିବାକୁ ହେବ। ବ୍ରିଟିଶ୍ ପରି ଶହେ ଆଗକୁ ଦେଖିବାକୁ ହେବ। ପ୍ରତିବର୍ଷ ମରାମତି ନ କରି ହେଉଥିବା କାର୍ଯ୍ୟକୁ ଅନୂ୍ୟନ ଶହେ ବର୍ଷ ପାଇଁ କରିପାରିଲେ ବନ୍ୟା ବାତ୍ୟା, ମରୁଡ଼ି ଏବଂ ଗୁଳୁଗୁଳି ପରିସ୍ଥିତିଠାରୁ ଏ ମଣିଷ ବଞ୍ଚତ୍ ପାରିବ, ନଚେତ ମାନବ ଜାତିର ପତନ ଦେଖିବାକୁ ପ୍ରସ୍ତୁତ ହେବାକୁ ହିଁ ହେବ।
ଜଗନ୍ନାଥ ବେହେରା
ଗାୟତ୍ରୀ ନଗର, ନବରଙ୍ଗପୁର
ମୋ: ୯୪୩୭୭୮୫୧୫୮