ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଟିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।
ସଭାରେ ବକ୍ତାମାନେ କହିଥିଲେ ଯେ, ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସହ ଘଟିଥିବା ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ଏବଂ ଗଣତନ୍ତ୍ର ପାଇଁ ଲଜ୍ଜାଜନକ। ଏଭଳି ଘଟଣା ଜନପ୍ରତିନିଧିଙ୍କ ସମ୍ମାନ ପ୍ରତି ଆଘାତ ସଦୃଶ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରି ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।
ପ୍ରତିବାଦକାରୀମାନେ ଅଭିଯୋଗ କରି କହିଥିଲେ ଯେ, ଜନସାଧାରଣଙ୍କ ସ୍ୱରକୁ ଦମନ କରିବା ପାଇଁ ପୋଲିସ ଶକ୍ତିର ଅପବ୍ୟବହାର କରାଯାଉଛି। ଯଦି ଦୋଷୀଙ୍କ ବିରୋଧରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସତର୍କ କରାଯାଇଥିଲା।
ଏହି ପ୍ରତିବାଦ ସଭାରେ ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ରଇପୁର ପଞ୍ଚାୟତର ସରପଞ୍ଚ ଜଗଦାନନ୍ଦ ସେଠୀ, ପାଳାସାହି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିଲ ଦାସ, ଡି.ଏନ୍.ଆର୍ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ବେହେରା, ଚନ୍ଦ୍ରଶେଖର ନାୟକ, ମୁକ୍ତିକାନ୍ତ ନାୟକ, ମାର୍କଣ୍ଡ ଜେନା, ଅମର କୁମାର ସାହୁ, ସୁଶାନ୍ତ ମଲ୍ଲିକ, କୈଳାସ ବାରିକ, ଆଲୋକ ରାଉତ, ଅଚ୍ୟୁତାନନ୍ଦ ବେହେରା, ବିଜୟ ସୂତାର, କୁଳମଣି ମଲ୍ଲିକ, ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ସଭାକୁ ସମ୍ବୋଧିତ କରିଥିଲେ। ସଭା ଶେଷରେ ଚାମେଲି ଓଝାଙ୍କ ପ୍ରତି ଏକାତ୍ମତା ପ୍ରକାଶ କରାଯିବା ସହ ଜନପ୍ରତିନିଧିଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା।