ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ  ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗୁରୁବାର ଦିନଟି ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦି ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ସନ୍ଧ୍ୟା ହୋଇଥିବାରୁ ମନ୍ଦିରରେ ବେଶ୍ ଗହଳି ଲାଗିଥିଲା।

ପବିତ୍ର ଆଷାଢ଼ ଶୁକ୍ଳ ନବମୀ ତିଥିର ସନ୍ଧ୍ୟା ଆଳତିରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ତପସ୍ୟାର ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ଗଭୀର ଧାର୍ମିକ ବିଶ୍ୱାସ ରହିଛି। ଏହି କାରଣରୁ ଅପରାହ୍ନରୁ ହିଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସ୍ରୋତ ଛୁଟିଥିବା ବେଳେ ସନ୍ଧ୍ୟା ଆଳତି ସମୟକୁ ଏହା ବହୁଗୁଣିତ ହୋଇଯାଇଥିଲା। ଏହି ସ୍ୱତନ୍ତ୍ର ଅବସରରେ କାଳିଆ ଠାକୁର ଶ୍ରୀ ଜଗନ୍ନାଥ ଏବଂ ବଡ଼ଭାଇ ଶ୍ରୀ ବଳଭଦ୍ର ଦିବ୍ୟ ‘ରାମ’ ଓ ‘ବଳରାମ’ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ସେହିପରି ଦିଗପହଣ୍ଡିର ଶ୍ରୀ ଦଧିବାମନ, ଶ୍ରୀ ପତିତପାବନ ଏବଂ ଅଞ୍ଚଳ କଲୋନୀ ତଥା ପୁଞ୍ଜିକୟାଁ ଛକସ୍ଥିତ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଶ୍ରୀ ମହାବାହୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

Dharitri – Odisha’s No.1 Odia Daily

Share