ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଅନେକ ସହକଳାକାର ଓ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ତାଙ୍କୁ ଭଲ ପାଉଥିବା ଲୋକଙ୍କ ସୁଅ ଛୁଟିବାରୁ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି।
ଖୁବ୍ କମ୍ ବୟସରେ ନିଜ ସ୍ୱରରେ ଘରେ ଘରେ ପରିଚିତି ହାସଲ କରିଥିବା ଏହି ତାରକାଙ୍କ ବିୟୋଗରେ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ସକ୍ରିୟ ସ୍ୱର ନିରବି ଯିବା ପରେ ଓଡ଼ିଆ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି।
ହ୍ୟୁମାନ ସାଗର ଚଳଚ୍ଚିତ୍ର ସହ ଆଲବମ୍ ଜଗତକୁ ମଧ୍ୟ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ବାହାଘର ବରଯାତ୍ରୀ, ପୂଜା ଭସାଣି, ମେଲୋଡିରୁ ପିକନିକ୍ ପାର୍ଟି ପର୍ଯ୍ୟନ୍ତ ସବୁ ସ୍ଥାନରେ ତାଙ୍କ ଗୀତ ବାଜୁଥିଲା। ପ୍ରେମ, ବିରହ, ଡ୍ୟାନ୍ସ ଏବଂ ଭଜନ—ସବୁ ପ୍ରକାରର ଗୀତ ଗାଇବାରେ ସେ ସିଦ୍ଧହସ୍ତ ଥିଲେ।
ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନ ୨୦୧୪ରେ ‘ସମଥିଙ୍ଗ ସମଥିଙ୍ଗ-୨’ର ‘ପ୍ରେମ ହେଇଯାଏରେ’ ଗୀତରୁ ନିଜର ପ୍ରଥମ ପରିଚୟ ସୃଷ୍ଟି କରିଥିଲେ। ‘ଇସ୍କ ତୁ ହି ତୁ’, ‘ଅଗସ୍ତ୍ୟା’, ‘ବେବି’, ‘ଅଭୟ’, ‘ହାପି ଲକି’, ‘ଶ୍ରୀମାନ ସୁରଦାସ’ ଆଦି ଅନେକ ସିନେମାରେ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଭାଇରାଲ ଗୀତ ମଧ୍ୟରେ ‘କେମିତି ଭୁଲିବି ସେ ଅଭୁଲା ଦିନ’, ‘କୁଆଡେ ଗଲୁ ପାଗେଳୀ’, ‘ମରିଯିବି ଧନ ତୋ ବିନା’, ‘ବେବି ଓ ବେବି’, ‘ଇସ୍କ ତୁ ହି ତୁ’ ଆଦି ରହିଛି।


