କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା

କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍‌ଆଇ ୨୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଥିବାବେଳେ ତାଙ୍କୁ ୨୦୦ ଟଙ୍କାର ରସିଦ୍‌ ଦେଇଥିଲେ। କିନ୍ତୁ କମିଶନରେଟ୍‌ ପୋଲିସରେ ୧୦୦ଟଙ୍କା ଦାଖଲ ହୋଇଛି। ଏ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ସମ୍ପର୍କରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ପ୍ରାଥମିକ ତଦନ୍ତରୁ ଏଥିରେ ସତ୍ୟତା ଥିବା ପ୍ରମାଣିତ ହୋଇଥିଲା। ପରେ ଅଗ୍ରହଣୀୟ ଭୁଲ୍‌ କରିଥିବାରୁ ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ ହୋଇଛି। ଏହି ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୪ରେ କରିବା ପାଇଁ ଲୋକାୟୁକ୍ତ ଦିନଧାର୍ଯ୍ୟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଆଧାରରେ ଡିଜିପି ଓ ଗୃହ ବିଭାଗ ମନ୍ତ୍ରୀଙ୍କୁ ଆସନ୍ତା ଶୁଣାଣି ଦିନ ନିଜର ପକ୍ଷ ରଖିବାକୁ ଲୋକାୟୁକ୍ତ କହିଛନ୍ତି। ସମ୍ପୃକ୍ତ ଏଏସ୍‌ଆଇଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଜୁଲାଇରେ କରୋନା ଯୋଗୁ ସାଧାରଣ ଯାତାୟାତ ଉପରେ କଟକଣା ରହିଥିଲା। ଜରୁରିକାଳୀନ ସ୍ଥିତିରେ ଯେଉଁମାନେ ଯାତାୟତ କରିବେ, ସେମାନେ ପୋଲିସର ଅନୁମତି ନେବାକୁ ନିର୍ଦ୍ଦେଶ ରହିଥିଲା। ଉକ୍ତ ମାସ ୨୦ ତାରିଖରେ କଟକ ନୂଆବଜାରରେ ରହୁଥିବା ମାନବାଧିକାର କର୍ମୀ ସୁଜିତ୍‌ ସାହୁ ବ୍ୟକ୍ତିଗତ କାର୍ଯ୍ୟରେ କଲେଜଛକ ଆସୁଥିଲେ। ନୂଆବଜାର ଓଭରବ୍ରିଜ ନିକଟରେ ଚାଉଳିଆଗଞ୍ଜ ଥାନାର ସମ୍ପୃକ୍ତ ଏଏସ୍‌ଆଇ ସୁଜିତଙ୍କୁ ଅଟକାଇଥିଲେ। କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୫୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ। ତେବେ ତାଙ୍କ ନିକଟରେ ୨୦୦ ଟଙ୍କା ଅଛି ବୋଲି ସୁଜିତ୍‌ କହିଥିଲେ। ପରେ ତାଙ୍କୁ ୨୦୦ ଟଙ୍କାର ରସିଦ୍‌ ଦିଆଯାଇଥିଲା। ତାଙ୍କର ସନ୍ଦେହ ହେବାରୁ କମିଶନରେଟ୍‌ ପୋଲିସକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଉକ୍ତ ତଥ୍ୟରେ ସମାନ ରସିଦ ନମ୍ବର କିନ୍ତୁ ୨୦୦ ଟଙ୍କା ବଦଳରେ ୧୦୦ ଟଙ୍କା ଲେଖାଯାଇଥିଲା। ଏନେଇ ସୁଜିତ୍‌ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।