Posted inଜାତୀୟ

କେମିତି ଅଛି କଶ୍ମୀର ସ୍ଥିତି

ନୂଆଦିଲ୍ଲୀ/ଶ୍ରୀନଗର,୫ା୮ :୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରିଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ସାମ୍ବିଧାନିକ ପଦକ୍ଷେପ ନିଆଯାଇଥିଲା ତାହା କେତେ ସାଧିତ ହୋଇଛି? ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ମୂଳପୋଛ କରାଯାଇପାରିଛି କି? କେନ୍ଦ୍ରୀୟ ଶାସନ ଚାଲିଥିବା କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ ହୋଇଛି ନା କେବଳ ପ୍ରଶାସନିକ ସ୍ତରରେ ସୀମିତ ରହିଛି ତମାମ ପ୍ରତିଶ୍ରୁତି? ଆଜି ଏସବୁ ପ୍ରଶ୍ନ ଅଧିକାଂଶ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି।

୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। କେନ୍ଦ୍ରର ଏହି ପଦକ୍ଷେପ ଫଳରେ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫-ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ ହୋଇଯାଇଥିଲା। ସେହିପରି ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିଷ୍ଠା କରାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପାର୍ଲାମେଣ୍ଟରେ ଆଗତ କରିଥିବା ପ୍ରସ୍ତାବ ଗୃହୀତ ହୋଇଥିଲା। ଭାଜପା ଏହାକୁ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଶାସନରେ ସବୁଠୁ ଦୁଃସାହସିକ ତଥା ଐତିହାସିକ ପଦକ୍ଷେପ ଭାବେ ଅଭିହିତ କରିଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଥିଲେ। ୩୭୦କୁ ହଟାଇବାର ସପ୍ତାହେ ପୂର୍ବରୁ ଉପତ୍ୟକାକୁ ପ୍ରାୟ ୪୦ ହଜାର ସୈନ୍ୟ ପଠାଯାଇଥିଲା। ସେତେବେଳେ ମୋବାଇଲ୍‌, ଇଣ୍ଟରନେଟ ଉପରେ କଟକଣା ଲଗାଇବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଓମାର ଅବ୍‌ଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଦୀର୍ଘ କାଳ ଗୃହବନ୍ଦୀ ରହିବା ପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ କ୍ରମେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକ୍ତ ହୋଇଥିଲେ। କେନ୍ଦ୍ରର ଏହି ଆଇନକୁ ନେଇ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଜୋର୍‌ ଧରିଥିଲା ବିବାଦ ଓ ବିତର୍କ।

ଆତଙ୍କବାଦ ଏବେ ବି ଚ୍ୟାଲେଞ୍ଜ

୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରଣ ହେଉଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ, ଶ୍ରୀନଗର ସମେତ କେତେକ ସ୍ଥାନରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କାରଣ ଉପତ୍ୟକାରେ ଏବେ ମଧ୍ୟ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ କିଛି ମାତ୍ରାରେ କମିଥିଲେ ହେଁ ସ୍ଥାନୀୟ ଆତଙ୍କବାଦୀଙ୍କ ଦୌରାମତ୍‌ୟ ଜାରି ରହିଛି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ୨୦୨୦ରେ ୧୬୩ କଶ୍ମୀରୀ ଯୁବକ ଜେହାଦୀ ସାଜିଥିଲେ। ୨୦୧୯ ଅଗଷ୍ଟରୁ ୨୦୨୧ ଜୁଲାଇ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୭୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ୯୦ ଆତଙ୍କବାଦୀଙ୍କୁ
ସୁରକ୍ଷା ବଳ ନିପାତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଲଶ୍କର-ଇ-ତୋଇବା (ଏଲ୍‌ଇଟି) ସଦସ୍ୟ। ଅବଶିଷ୍ଟ ହେଲେ ହିଜ୍‌ବୁଲ ମୁଜାହିଦ୍ଦିନ, ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌) ଏବଂ ସ୍ଥାନୀୟ ଆତଙ୍କବାଦୀ। ଏସବୁକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପୋଲିସ ମଙ୍ଗଳବାର ଟପ୍‌ ଟେନ୍‌ ଆତଙ୍କବାଦୀଙ୍କ ତାଲିକା ଜାରି କରିଥିଲା।

‘ନୂଆ କଶ୍ମୀର’ ଏକ ଉପହାସ: ଗୁପ୍‌କାର ମେଣ୍ଟ

୩୭୦ ଉଚ୍ଛେଦ ପରେ ଏକ ନୂଆ କଶ୍ମୀର ପ୍ରତିଷ୍ଠା ହୋଇଛି ବୋଲି କେନ୍ଦ୍ରରେ କ୍ଷମତାସୀନ ଭାଜପା ଦାବି କରୁଛି, ଯାହାକି ଉପତ୍ୟକାବାସୀଙ୍କ ପାଇଁ ଏକ ଉପହାସ ବୋଲି ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌ (ପିଏଜିଡି) ପକ୍ଷରୁ ବୁଧବାର ସମାଲୋଚନା କରାଯାଇଛି। ୨୦୧୯ ଅଗଷ୍ଟରେ ନିଆଯାଇଥିବା ପଦକ୍ଷେପରୁ କ’ଣ ମିଳିଛି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।
ଶାନ୍ତିପୂର୍ଣ୍ଣ ଓ ଆଇନଗତ ଉପାୟରେ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ନେତୃତ୍ୱାଧୀନ ମେଣ୍ଟ ଆହ୍ବାନ ଦେଇଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସମ୍ବିଧାନକୁ ଉଚ୍ଛେଦ କରି ସାମ୍ବିଧାନିକତାର ସବୁ ସୀମା ଅତିକ୍ରମ କରିଛନ୍ତି। ଏହି ପଦକ୍ଷେପ ଫଳରେ ଭାରତ ସରକାର ସହ ଆମର ସବୁ ସମ୍ପର୍କ ଖରାପ ହୋଇଯାଇଛି ବୋଲି ପିଏଜିଡି ମୁଖପାତ୍ର ତଥା ସିପିଆଇଏମ୍‌ ନେତା ଏମ୍‌.ଓ୍ବାଇ. ତାରିଗାମୀ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୩୭୦ ଫେରାଇ ଆଣିବା ପାଇଁ ଫାରୁକ୍‌ଙ୍କ ଏନ୍‌ସି ଏବଂ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସମେତ କଶ୍ମୀରୀ ଦଳଗୁଡ଼ିକ ଏହି ମେଣ୍ଟ ଗଠନ କରିଛନ୍ତି।

ଗୃହବନ୍ଦୀ କଥା ସ୍ମରଣ କଲେ ଓମାର

୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ୭ ମାସ ଅବଧିର ଗୃହବନ୍ଦୀ ସ୍ମୃତିକୁ ସ୍ମରଣ କରିଛନ୍ତି। କେନ୍ଦ୍ରର ଏହି ପଦକ୍ଷେପକୁ ସେ ଅଚାନକ, ଅପ୍ରତ୍ୟାଶିତ ଓ ଅସାମ୍ବିଧାନିକ ଝଟ୍‌କା ବୋଲି ଅଭିହିତ କରିଛନ୍ତି। ଏହାସହ ଦିନେ ନା ଦିନେ ଜମ୍ମୁ-କଶ୍ମୀରବାସୀଙ୍କୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଥିବା ଓମାର କହିଛନ୍ତି। ଜୁନ୍‌ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀରର ମୁଖ୍ୟସ୍ରୋତର ଦଳଗୁଡ଼ିକର ନେତାମାନେ ଆଲୋଚନା କରିଥିବାବେଳେ ଓମାର କହିଥିଲେ, ଉପଯୁକ୍ତ ପରିଣାମ ପାଇଁ ତୃଣମୂଳ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ। ବିକାଶ ପାଇଁ ବହୁତ କଥା କୁହାଯାଉଛି। ସେସବୁର ସୁବିଧା ଲୋକେ ପାଇବା ଉଚିତ।

‘୩୭୦ ପାଇଁ ଲଢ଼େଇ ଜାରି ରହିବ’

ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ ସହ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରସ୍ତ କରିବା ଲାଗି ସୁପ୍ରିମକୋର୍ଟ ପଦକ୍ଷେପ ନେବେ ବୋଲି ବିଶ୍ୱାସ। ସର୍ବୋଚ୍ଚ ଅଦାଲତ ଏହାର ସମାଧାନ ନ କଲେ ଆମ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସଂଗ୍ରାମ ଜାରି ରଖିବୁ ବୋଲି ଜମ୍ମୁ-କଶ୍ମୀର ଅପ୍‌ନୀ ପାର୍ଟି ମୁଖ୍ୟ ଅଲ୍‌ତାଫ ବୁଖାରି ଚେତାବନୀ ଦେଇଛନ୍ତି।

ଅଗଷ୍ଟ ୫ ନିରସ୍ତ୍ରୀକରଣ ଦିବସ

ଦୁଇବର୍ଷ ତଳେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ପେଶାଲ ଷ୍ଟାଟସ୍‌ ସହ ଲୋକଙ୍କ ଅଧିକାର ଛଡ଼ାଇ ନିଆଯାଇଥିଲା। ତେଣୁ ଏହା ନିରସ୍ତ୍ରୀକରଣ ଦିବସ ଭାବେ କଶ୍ମୀରବାସୀ ମନେରଖିବେ। ଉପତ୍ୟକାର ଇତିହାସରେ ଏହା ଏକ କଳାଦିବସ ବୋଲି ସଜାଦ୍‌ ଲୋନ୍‌ଙ୍କ ନେତୃତ୍ୱାଧୀନ ପିପୁଲ୍ସ କନ୍‌ଫରେନ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri