ଶିକ୍ଷାରେ ନୂତନ ଆକାଂକ୍ଷା କେତେ ପ୍ରଭାବୀ

ଅକ୍ଷୟ କୁମାର ମିଶ୍ର

 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ହଠାତ୍‌ ଶିକ୍ଷା ବର୍ଷ ଅଧାରେ ଏକ ନୂତନ ପାଠ୍ୟକ୍ରମ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି। ପାଠ୍ୟକ୍ରମର ନାମ ହେଲା ଆସ୍‌ପିରେସ୍‌ନାଲ କମ୍ପୋନେଣ୍ଟ। ଏଥିରେ ଚାରୋଟି ବିଭାଗ ରହିବ। ବିଭାଗଗୁଡ଼ିକ ହେଲା ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ଓ୍ବାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ ଆଇ ଟି ସ୍କିଲ୍‌। ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ। ଆସନ୍ତା ବର୍ଷ ଉଭୟ ନବମ ଓ ଦଶମ ଶ୍ରେଣୀରେ କାର୍ଯ୍ୟକାରୀ ହେବ। ଚାରୋଟି ପର୍ଯ୍ୟାୟରେ ପରୀକ୍ଷା ହେବ। ପ୍ରଥମ ତିନୋଟି ପରୀକ୍ଷାର ପୂର୍ଣ୍ଣ ନମ୍ବର ୫ ହୋଇଥିବାବେଳେ ଅନ୍ତିମ ପରୀକ୍ଷା ୧୦ ନମ୍ବରରେ ହେବ। ପରୀକ୍ଷାରେ ପାଇଥିବା ନମ୍ବର ଅନୁଯାୟୀ ହାଇସ୍କୁଲ ସାର୍ଟିଫିକେଟରେ ଗ୍ରେଡ୍‌ ଲିପିବଦ୍ଧ ହେବ। ନୂତନ ପାଠ୍ୟକ୍ରମର ରୂପରେଖ କ’ଣ ହେବ ତା’ର ପୁଙ୍ଖାନୁପୁଙ୍ଖ ବିବରଣୀ ଆଉ କିଛିଦିନ ପରେ ସର୍ବ ସମ୍ମୁଖକୁ ଆସିବ। କିନ୍ତୁ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏଗାର ବାର ଲକ୍ଷ ଛାତ୍ରୀଛାତ୍ରଙ୍କ ସମେତ ସେମାନଙ୍କର ମାତାପିତା ଆଶଙ୍କା ଓ ସଂଶୟ ଭିତରେ। ମାନସିକ ଚାପ ଭିତରେ ସମସ୍ତେ। ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମେଟିଭ ଆସେସ୍‌ମେଣ୍ଟ ଅକ୍ଟୋବର ୨୭ଠାରୁ ଆରମ୍ଭ ହୋଇଗଲାଣି। ଦୁଇଟି ଫର୍‌ମେଟିଭ ଆସେସ୍‌ମେଣ୍ଟ ସରିଲାଣି। ଶିକ୍ଷା ବର୍ଷର ଅଧା ବିତିଲାଣି, ଏ ବେଳରେ ଏମିତି ଏକ ନିଷ୍ପତ୍ତି କେବଳ ପିଲାମାନଙ୍କୁ ବିସ୍ମିତ କରିନାହିଁ ରାଜ୍ୟର ଶିକ୍ଷାବିତ୍‌ମାନଙ୍କ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ହଠାତ୍‌ ଏମିତି ତରବରିଆ ନିଷ୍ପତ୍ତି କାହିଁକି? ଏଥିପାଇଁ ଆମେ କେତେ ପ୍ରସ୍ତୁତ ଅଛୁ?
ଯେକୌଣସି କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ବେଳେ ପର୍ଯ୍ୟାପ୍ତ ବିଚାର ବିମର୍ଶ ହେବା ଉଚିତ। ବିଭାଗ ସହିତ ସମ୍ପୃକ୍ତି ଥିବା ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ। ଉଭୟ ଲାଭ ଓ କ୍ଷତି, ସୁବିଧା ଅସୁବିଧା ଦିଗ ବିଷୟରେ ଅନୁଶୀଳନ ହେବା ଲୋଡ଼ା। ଶିକ୍ଷା ବିଭାଗରେ ବିଶେଷକରି ଛାତ୍ରୀଛାତ୍ରଙ୍କ ସହିତ ଯୋଡ଼ିହୋଇ ରହିଥିବା ବିଷୟବସ୍ତୁ ଉପରେ ନିଷ୍ପତ୍ତି ନେଲାବେଳେ ସବୁଠାରୁ ଅଧିକ ବିଶ୍ଳେଷଣ ହେବା ଜରୁରୀ ନୁହେଁ କି? କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ କାହା ସହିତ ଆଲୋଚନାରେ ବସି ସିଦ୍ଧାନ୍ତରେ ଉପନୀତ ହେଲେ ବୋର୍ଡର କର୍ତ୍ତୃପକ୍ଷଙ୍କୁ ଜଣା। ନିଷ୍ପତ୍ତି ଘୋଷଣା ପୂର୍ବରୁ ଶିକ୍ଷାବିତ, ଶିକ୍ଷକ ସଂଗଠନ, ଅଭିଭାବକ ସଂଘ, ଛାତ୍ର ସଂଗଠନଗୁଡ଼ିକ ସହିତ ଆଲୋଚନା କରିଥିଲେ ହୁଏତ ଦ୍ୱନ୍ଦ୍ୱ କିମ୍ବା ବିରୋଧାଭାଷ ସୃଷ୍ଟି ହୋଇ ନ ଥା’ନ୍ତା।
ବିଗତ କିଛିବର୍ଷ ହେଲା ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ଉପରେ ବାରମ୍ବାର ପରୀକ୍ଷା ନିରୀକ୍ଷା କରିଚାଲିଛି।
ନୂତନ ପରୀକ୍ଷା ପଦ୍ଧତିକୁ ଠିକ୍‌ ଭାବରେ ଛାତ୍ରୀଛାତ୍ରମାନେ ବୁଝି ନ ଥିବା ବେଳେ ପୁଣି ଏକ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିବା କଷ୍ଟକର ନିଶ୍ଚୟ। ଗୋଟିଏ ବର୍ଷରେ ଛଅ ଛଅ ଥର ପରୀକ୍ଷା ହେଉଥିବା ବେଳେ ଆଉ ଚାରୋଟି ପରୀକ୍ଷା କଥା ଶୁଣି ଯେକେହି ଭୟଭୀତ ହେବା ସ୍ବାଭାବିକ। ଏଣୁ ବୋର୍ଡର ପ୍ରଥମ କର୍ତ୍ତବ୍ୟ ହେଉଛି କୋମଳମତି ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ ରଖିବା।
ଯାହା ବି ହେଉ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ବିଷୟଗୁଡିକ କାନକୁ ବେଶ୍‌ ଭଲ ଶୁଭୁଛି। ଖାଲି ଭଲ ଶୁଭୁନାହିଁ ସମୟ ଅନୁଯାୟୀ ଏସବୁର ଆବଶ୍ୟକତା ମଧ୍ୟ ଜରୁରୀ। ବିଜ୍ଞାନ ଯୁଗରେ ପ୍ରଯୁକ୍ତିବିଦ୍ୟାକୁ ନେଇ ଜ୍ଞାନ କେନ୍ଦ୍ର ଗଢି ଉଠୁଥିବା ବେଳେ କମ୍ପ୍ୟୁଟର ବିହୁନେ ସବୁକିଛି ଅନ୍ଧାର। ଯାହା ବେସିକ ଆଇ ଟି ସ୍କିଲ୍‌ ଦ୍ୱାରା କିଛିଟା ମୂଳଦୁଆ ପଡିପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ପଠନ ପ୍ରତି ଆଗ୍ରହ ଓ ଏକ ଗବେଷଣାତ୍ମକ ଅନୁଚିନ୍ତା ପିଲାଙ୍କ ଭିତରେ ସୃଷ୍ଟି ହେବ ନୂଆକରି ଆରମ୍ଭ ହେବାକୁଥିବା ବୁକ୍‌ ରିଭ୍ୟୁ ପାଠ୍ୟକ୍ରମ ମାଧ୍ୟମରେ। ପ୍ରୋଜେକ୍ଟ ଓ୍ବାର୍କ ଦ୍ୱାରା ପିଲାଙ୍କର ସୃଜନଶୀଳତା ବୃଦ୍ଧି ହେବ ଏଥିରେ କାହାରି ଦ୍ୱିମତ ନାହିଁ। ଆଉ ବାକି ରହିଲା କୋ-କରିକୁଲମ ଆକ୍ଟିଭିଟି। ଏହା ତ ଏକମାତ୍ର ମାଧ୍ୟମ, ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କର ଅନ୍ତର୍ନିହିତ ଗୁଣାବଳୀର ଉନ୍ମେଷ ଘଟିପାରେ। କିନ୍ତୁ ହେଲେ ତ? ଆର୍ଟ ଏଜୁକେଶନ, ଓ୍ବାର୍କ ଏକ୍ସପେରିଏନ୍ସ ଏବଂ ଫିଜିକାଲ ଏଜୁକେଶନ ଯେଉଁ ଢଙ୍ଗରେ ଚାଲିଛି ଏଗୁଡିକ ମଧ୍ୟ ସେମିତି ଚାଲିବନି ତ? ସବୁକିଛି କାଗଜ କଲମରେ ହେବ ନାହିଁ ତ?
ଜଣେ ଶିକ୍ଷକ ନିଜର ପରିଚୟ ଗୋପନ ରଖି ପୂର୍ବୋକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ହଁ, ଚାଲିବ। ଚାଲିବାକୁ ବାଧ୍ୟ। ନିଜ ଚାକିରିକୁ ବଞ୍ଚାଇବାକୁ ଯାଇ ଶିକ୍ଷକ କାଗଜ କଲମରେ ରେକର୍ଡ ପ୍ରସ୍ତୁତ କରି ମାର୍କ ଅଥବା ଗ୍ରେଡ୍‌ ବୋର୍ଡକୁ ପଠାଇବେ। ବଡ଼ ଅଫିସରଙ୍କୁ ଖୁସି କରିବା ପାଇଁ ଶିକ୍ଷକମାନେ ଭୂତ ନମ୍ବର ଦେଇ ପଠାଇବାକୁ ବାଧ୍ୟ ହେବେ। କହିଲେ ଦେଖି ନିର୍ଦ୍ଧାରିତ ପାଠ୍ୟବସ୍ତୁ ପରୀକ୍ଷା ପୂର୍ବରୁ ସରିବ, ଉତ୍କର୍ଷ, ଉତ୍ଥାନ ଚାଲିବ ଏବଂ ଏଲ୍‌ଆର୍‌ପି ହେବ, ଇଏଇ ପଢାହେବ। ହେଲେ ଏତେ ସପନକୁ ରାତି ଥିଲେ ତ। ଶିକ୍ଷକ ନ ଥିବାକୁ ଏତେ କଥା ହେବ କେମିତି।
ଆମ ରାଜ୍ୟରେ ବୋର୍ଡ ଅଧୀନରେ ଥିବା ବିଦ୍ୟାଳୟ ସଂଖ୍ୟା ୮ ହଜାରରୁ ଊର୍ଦ୍ଧ୍ୱ। ଏହି ସବୁ ବିଦ୍ୟାଳୟ କେମିତି ଚାଲିଛି କାହାକୁ ଅଛପା ନାହିଁ। ତିରିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି। ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେବା ପରେ ନିଯୁକ୍ତି ନାହିଁ କି ନିକଟ ଭବିଷ୍ୟତରେ ନିଯୁକ୍ତିର ସମ୍ଭାବନା କ୍ଷୀଣ। ଶତାଧିକ ବିଦ୍ୟାଳୟ ଜଣେ କିମ୍ବା ଦୁଇଜଣ ଶିକ୍ଷକରେ ଯେନତେନ ପ୍ରକାରେ ଚାଲିଛି। ୪ହଜାରରୁ ଊଦ୍ଧର୍‌ବ ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ। ଅବଶିଷ୍ଟ ବିଦ୍ୟାଳୟକୁ ସରକାର ଯେଉଁ ସବୁ କମ୍ପ୍ୟୁଟର ଯୋଗାଇଥିଲେ କମ୍ପ୍ୟୁଟର ଶିକ୍ଷକ ନ ଥିବା ଯୋଗୁ ସେଗୁଡ଼ିକ କେଉଁ ଅବସ୍ଥାରେ ଅଛି ତାହା ଖୋଦ ସରକାର ମଧ୍ୟ ଉତ୍ତର ରଖିପାରିବେ ନାହିଁ। କିଛି ଶିକ୍ଷାବିତ୍‌ କହିବା ଆରମ୍ଭ କଲେଣି ଆଗାମୀ ଦିନରେ ଏହା ଏକ ବଡ଼ ସ୍କାମ୍‌ ହୋଇ ଉଭାହେବ। ଅବଶ୍ୟ ଏହା ଭିତରେ ଅନେକ ବିଦ୍ୟାଳୟ ରୂପାନ୍ତରଣ ହୋଇସାରିଛି। ସେଠାରେ କମ୍ପ୍ୟୁଟର ଲାବ୍‌, ବିଜ୍ଞାନାଗାର, ଇ-ଲାଇବ୍ରେରି ସିନା କରାଯାଇଛି, ହେଲେ ଶିକ୍ଷକ ନାହାନ୍ତି। ଚାଲିବ କେମିତି? ଏସବୁ ବିଚାରକୁ ନେଲେ ବେସିକ ଆଇ ଟି ସ୍କିଲ୍‌ ପାଠ୍ୟକ୍ରମ ଏକ କାଗଜ ବାଘ ପରି ଆଲମାରୀ ଭିତରେ ଶୋଭା ପାଇବ। ବୁକ୍‌ ରିଭ୍ୟୁ ତ ଏକ ଅସୀମ ପାଠ୍ୟକ୍ରମ। ସୀମାହୀନ ସାଗର ଭିତରୁ ଗର୍ଭରେ ମୁକ୍ତା ଧାରଣ କରିଥିବା ଶାମୁକାର ଅନ୍ବେଷଣ। ଏହା ନିଶ୍ଚୟ ପିଲାଙ୍କୁ ପ୍ରଥମରୁ ଗବେଷଣାଭିମୁଖୀ କରାଇବ। କିନ୍ତୁ ଗାଇଡ କରିବ କିଏ? ପ୍ରୋଜେକ୍ଟ ଓ୍ବାର୍କ କ୍ଷେତ୍ରରେ ଶିକ୍ଷକଙ୍କଠାରୁ ଅଭିଭାବକଙ୍କ ଭୂମିକା ବେଶି। ଏଥିପାଇଁ ଯେଉଁ ଅର୍ଥ ଆବଶ୍ୟକ ପଡିବ ତାହା ଯୋଗାଇବାକୁ ଏହିସବୁ ବିଦ୍ୟାଳୟରେ ପାଠ ପଢୁଥିବା କେତେଜଣ ପିଲାଙ୍କର ମା’ବାପା ସକ୍ଷମ ତାହା ମଧ୍ୟ ବିଚାର୍ଯ୍ୟ। କୋ-କରିକୁଲମ ଆକ୍ଟିଭିଟି ଯେ ବିଦ୍ୟାଳୟରେ ହେଉନାହିଁ ଏ କଥା କହିଲେ ଭୁଲ୍‌ ହେବ। କିନ୍ତୁ ଠିକ୍‌ ଦକ୍ଷତା ମାପିବା ପାଇଁ ଯେଉଁ ବିଷୟଭିତ୍ତିକ ଶିକ୍ଷକଙ୍କ ଲୋଡ଼ା ଅଛି ତା’ର ଘୋର ଅଭାବକୁ ଅସ୍ବୀକାର କିଏ ବା କରିବ।
ତେବେ ଏହା ମଧ୍ୟ ସତ୍ୟ, ପ୍ରକୃତରେ ଯଦି ଏହି ବିଷୟଗୁଡିକ ଯଥୋଚିତ ଢଙ୍ଗରେ ଚାଲିପାରନ୍ତା ତେବେ ପିଲାଙ୍କର ସର୍ବାଙ୍ଗୀନ ବିକାଶ ହେବା ସହିତ ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଘଟନ୍ତା। ନ ହେଲେ ଆଉ ଏକ ବୈଷମ୍ୟର ସୂତ୍ରପାତ ହେବ। ଏ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ପିଲାଟି ନିଜକୁ ନୂ୍ୟନ ମଣିବ। ଦିଅଁ ଗଢୁଗଢୁ ମାଙ୍କଡ଼ ଗଢ଼ା ହେବ।
ପ୍ରଥମ କଥା ହେଲା ଏମିତି ତରବରିଆ ନିଷ୍ପତ୍ତି ନେଇ ଶିକ୍ଷା ବର୍ଷର ଅଧାରୁ ଏଭଳି ନୂତନ ପାଠ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଉପରେ ଲଦିଦେବା ସମୀଚୀନ ନୁହେଁ। ଦ୍ୱିତୀୟରେ ସରକାର ଯୁଦ୍ଧକାଳୀନଭିତ୍ତିରେ ସମସ୍ତ ବିଦ୍ୟାଳୟକୁ ସମଦୃଷ୍ଟି ଦେଇ ଭିତ୍ତିଭୂମି ସଜାଡ଼ନ୍ତୁ। ତୃତୀୟରେ ଶିକ୍ଷକ ପଦବୀ ପୂରଣ ନ କରି ଏହା କଲେ ଆତ୍ମଘାତୀ ହେବ। ଚତୁର୍ଥରେ ଶିକ୍ଷା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ସଂଗଠନ ସାଥିରେ ଆଲୋଚନା କରି ସହଯୋଗ ଲୋଡ଼ନ୍ତୁ। ନଚେତ ଆକାଂକ୍ଷା ନୂତନ ସମ୍ଭାବନା ସୃଷ୍ଟି କରିବା ପରିବର୍ତ୍ତେ ଭବିଷ୍ୟତ ବିନାଶର କାରଣ ସାଜିବ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri