ହାଉସିଂ ବୋର୍ଡ ଘର ଅକ୍ତିଆର କରିପାରୁନି ପୌରପାଳିକା

ପାରାଦୀପ,୩୦ା୫(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଭିଆଇପି ଅଞ୍ଚଳ ମଧୁବନସ୍ଥ ହାଉସିଂ ବୋର୍ଡକୁ କୁହାଯାଏ। ସେଠାରେ ଥିବା ୫୮ଟି ଘରକୁ ପୁଞ୍ଜିପତି, ଶିଳ୍ପପତି, ରାଜନେତା, କମ୍ପାନୀ ନେଇଛନ୍ତି। ସେହି ୫୮ଟି ଘର ମଧ୍ୟରୁ ପାରାଦୀପ ପୌରପାଳିକାର ଦୁଇଟି ଘର ରହିଛି। ତନ୍ମଧ୍ୟରୁ ଗୋଟିଏ ଘର ୧୯୯୫ରୁ ଜବରଦଖଲ ହୋଇରହିଛି। ଯାହାକୁ ପୌର କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ନେଇପାରୁନାହିଁ। ଅନ୍ୟ ଘରେ ପୌରପାଳିକାର ବରିଷ୍ଠ ଅଧିକାରୀମାନେ ରହୁଛନ୍ତି। ଏପରି ହେବା ପଛରେ ରୋଚକ ଘଟଣା ରହିଛି। ୧୯୯୫ରେ କଂଗ୍ରେସ ନେତା ରମେଶ ଚନ୍ଦ୍ର ସାମନ୍ତରାୟ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ହାଉସିଂ ବୋର୍ଡରେ ଥିବା ପୌରସଂସ୍ଥାର ୪୧ ନଂ. ଘରକୁ ନିଜ ବ୍ୟବହାର ପାଇଁ ରଖିଥିଲେ। ସଂଯୋଗବଶତଃ ତା’ ପାଖ ୪୨ ନଂ. ଘର ରମେଶଙ୍କର ନିଜ ନାମରେ ଅଛି। ସେବେଠାରୁ ରମେଶ ପୌରପାଳିକା ଘରକୁ ରଖିଥିଲେ। ରମେଶ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ। ତାଙ୍କର ପ୍ରଭାବ ଯଥେଷ୍ଟ ଥିଲା। ୨୦୦୯ରେ ସେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ୱିତା କରିଥିଲେ। ତା’ ପରେ ବିଜେଡିରେ ମିଶିଥିଲେ। ୨୦୨୦ରେ ତାଙ୍କର ପରଲୋକ ହୋଇଥିଲା। ସେହି ଘରେ ଏବେ କେତେଜଣ ଚାଳକ ରହୁଥିବା ଜଣାପଡିଛି। ରମେଶଙ୍କ ବିୟୋଗ ପରେ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ ଗଲାଣି। ତାକୁ ଉଦ୍ଧାର ପାଇଁ ପୌର କର୍ତ୍ତୃପକ୍ଷ ସେତେଟା ଗୁରୁତ୍ୱ ଦେଉ ନ ଥିବା ଜଣାଯାଏ। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କୁ ପଚାରିବାରେ ଉକ୍ତ ଘର ଉପରେ ଦିବଂଗତ ରମେଶ ପୂର୍ବରୁ କୋର୍ଟରେ କେସ୍‌ କରିଥିଲେ। ଏବେ ସେହି କେସ୍‌ର ଆଉ ଗୁରୁତ୍ୱ ନାହିଁ। ଆମେ ଉକ୍ତ ଘରକୁ ନିଜ ନିୟନ୍ତ୍ରଣକୁ ନେବା ସହ ନବୀକରଣ କରି ବ୍ୟବହାର କରିବୁ ବୋଲି ସେ କହିଛନ୍ତି।