ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ ଦଣ୍ଡପାଟଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତୀ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଦମ୍ପତିଙ୍କୁ ଉଦ୍ଧାରକରି ପ୍ରଥମେ ଉଦଳା ଓ ପରେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଘରର ଯୁବକ ଜଣକ ରବିବାର ବିଳମ୍ବିତ ରାତିରେ ଅର୍ଜୁନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ହେଲେ ଦମ୍ପତି ଶୋଇଥିବା ବେଳେ ନିଆଁରେ ପୋଡ଼ି ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଏହା ଶୁଣି ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ନିଆଁରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଯୁବକଙ୍କ ଏଭଳି ନାରକୀୟ କାଣ୍ଡକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାରସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।